କିଡ଼ନୀ ଖରାପ କରିଦେବ ପାକିସ୍ତାନୀ କ୍ରିମ

ଭାରତୀୟ ବଜାରରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଅନେକ ଜିନିଷ ଉପରେ ରହିଛି କେନ୍ଦ୍ର ସରକାରଙ୍କ କଡା ନଜର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତୀୟ ବଜାରରେ ବେଆଇନ ଭାବେ କିଛି ପାକିସ୍ତାନୀ ଫେୟାରନେସ୍ କ୍ରିମ ବିକ୍ରି କରାଯାଉଛି ଯାହାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ସୌନ୍ଦର୍ଯ୍ୟ ବଢାଇବା ଦାବି କରୁଥିବା ଏହି କ୍ରିମ୍‌ ଗୁଡ଼ିକ ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ବିଶେଷକରି ମହାରାଷ୍ଟ୍ରର ନାଗପୁରରେ ଏଭଳି କ୍ରିମ୍ ବ୍ୟବହାର ପରେ କିଛି ଲୋକଙ୍କଠାରେ କିଡନୀ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଦେଖାଯାଇଥିବା ରିପୋର୍ଟ ପରେ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱ ପାଇଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର କସ୍ମେଟିକ୍ସ ଡିଭିଜନ୍ ପକ୍ଷରୁ ଏନେଇ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି । ସରକାରୀ ନିୟମ ଅନୁସାରେ, ଲୋକମାନେ ବ୍ୟବହାର କରୁଥିବା କସ୍ମେଟିକ୍ ଉତ୍ପାଦ ସୁରକ୍ଷିତ ହେବା ଆବଶ୍ୟକ । ଦେଶରେ କସ୍ମେଟିକ୍ ଉତ୍ପାଦର ଉତ୍ପାଦନ ଓ ଆମଦାନୀ ‘ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆକ୍ଟ, ୧୯୪୦’ ଏବଂ ‘କସ୍ମେଟିକ୍ସ ରୁଲ୍ସ, ୨୦୨୦’ ଅଧୀନରେ ନିୟନ୍ତ୍ରିତ ହୁଏ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର କସ୍ମେଟିକ୍ସ ଡିଭିଜନର ସୂଚନା ଅନୁସାରେ, ପାକିସ୍ତାନରେ ତିଆରି ଗୋରେ କ୍ରିମ୍ ଏବଂ ଚାନ୍ଦନୀ କ୍ରିମ୍ ଭଳି କିଛି କସ୍ମେଟିକ୍ ଉତ୍ପାଦ ଭାରତୀୟ ବଜାର ପାଇଁ ଅନଧିକୃତ ବୋଲି ଚିହ୍ନଟ ହୋଇଛି । ଏହି ଉତ୍ପାଦଗୁଡିକୁ ଭାରତରେ ବିକ୍ରି କିମ୍ବା ଆମଦାନୀ କରିବା ପାଇଁ ଆବଶ୍ୟକ ବୈଧ ପଞ୍ଜୀକରଣ ପ୍ରମାଣ ପତ୍ର ଥିବା ନେଇ ସରକାରୀ ଅନୁମତି ମିଳିନଥିବା କୁହାଯାଇଛି ।ତେବେ ସବୁଠାରୁ ବଡ କଥା ହେଉଛି ଯଦି ଏହି କ୍ରିମ୍‌ଗୁଡ଼ିକ ପାଇଁ ଭାରତରେ ଆବଶ୍ୟକ ଅନୁମତି ନାହିଁ, ତେବେ ଏଗୁଡ଼ିକ ବଜାରକୁ ଆସୁଛି କେମିତି ? ଏହାର ଆମଦାନୀ ଓ ବିକ୍ରି ସମ୍ପର୍କରେ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ସରକାର ଲୋକମାନଙ୍କୁ ଏଭଳି ଅନଧିକୃତ କସ୍ମେଟିକ୍ ପ୍ରଡକ୍ଟ ନକିଣିବାକୁ ପରାମର୍ଶ ଦେଇଛନ୍ତି । ଯଦି କେହି ପୂର୍ବରୁ ‘ଗୋରେ କ୍ରିମ୍’, ‘ଚାନ୍ଦନୀ କ୍ରିମ୍’ କିମ୍ବା ସମାନ ନାମର କୌଣସି ସନ୍ଦେହଜନକ ଉତ୍ପାଦ କିଣିଥାନ୍ତି, ତେବେ ତାହାର ବ୍ୟବହାର ତୁରନ୍ତ ବନ୍ଦ କରିବାକୁ ସତର୍କ କରାଯାଇଛି ।