ପୂର୍ବତନ ଅଗ୍ନିବୀରମାନଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ରୋଜଗାର ସୁଯୋଗ ଯୋଗାଇବା ଦିଗରେ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସେନାରେ ୪ ବର୍ଷର ସେବା ପୂରଣ କରିଥିବା ପୂର୍ବତନ ଅଗ୍ନିବୀରମାନଙ୍କର ସମ୍ପୂର୍ଣ୍ଣ ଟ୍ୟୁସନ୍ ଫି’ ଛାଡ଼ କରାଯିବ। ମଙ୍ଗଳବାର ବିଶ୍ୱବିଦ୍ୟାଳୟର କୁଳପତି ଡ. ରାକେଶ ସିଂଘାଇ ଏହି ସୂଚନା ଦେଇଛନ୍ତି।
କୁଳପତିଙ୍କ କହିବାନୁସାରେ, ଏହି ସୁବିଧା ପାଇଁ କୌଣସି ବୟସ ସୀମା ରଖାଯାଇନାହିଁ। ବିଶ୍ୱବିଦ୍ୟାଳୟର ପ୍ରାୟ ୨୦୦ଟି କୋର୍ସ ମଧ୍ୟରୁ ଯେକୌଣସି କୋର୍ସରେ ନିୟମ ଅନୁଯାୟୀ ନାମଲେଖା କରିପାରୁଥିବା ପୂର୍ବତନ ଅଗ୍ନିବୀରମାନେ ଏହି ସୁବିଧା ପାଇପାରିବେ।
ତେବେ କେବଳ ୪ ବର୍ଷର ସେବା ପୂରଣ କରିଥିବା ଅଗ୍ନିବୀରମାନେ ହିଁ ଏହି ସୁବିଧା ପାଇଁ ଯୋଗ୍ୟ ହେବେ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା କିମ୍ବା ବରଖାସ୍ତ ହୋଇଥିବା ଅଗ୍ନିବୀରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ।
ଦେଶର ସୁରକ୍ଷା ପାଇଁ ଅଗ୍ନିବୀରମାନେ ସେମାନଙ୍କ ଜୀବନର ମୂଲ୍ୟବାନ ୪ ବର୍ଷ ସେନାରେ ସେବା କରୁଥିବାରୁ ଅନେକ ସମୟରେ ସେମାନଙ୍କ ପାଠପଢ଼ା ଜାରି ରଖିବା ସମ୍ଭବ ହୋଇନଥାଏ। ସେବା ଶେଷ ପରେ ସେମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେଇ ନୂଆ କ୍ୟାରିୟର ଗଢ଼ିବାରେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁଳପତି କହିଛନ୍ତି।
ଏହା ସହିତ ଆଗାମୀ ଦିନରେ ଅଗ୍ନିବୀରମାନଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ଏବଂ ସ୍ୱତନ୍ତ୍ର କୋର୍ସ ଆରମ୍ଭ କରିବା ନେଇ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଚାର କରାଯାଉଛି।