ଗଞ୍ଜାମର ଭିନ୍ନ ଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଚାଲିଗଲା ୩ଜୀବନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧିଖଣ୍ଡି ଅଞ୍ଚଳରେ ବୁଧବାର ଦିନ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଏକ ଗ୍ରାମ୍ୟ ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ସିଦ୍ଧିଖଣ୍ଡି ଅଞ୍ଚଳର ମୋରାମ ଜେନାଙ୍କ ପୁଅ ସିତାଂଶୁ ଜେନା।

ମିଳିଥିବା ସୂଚନା ଅନୁଯାୟୀ, କୋଟିନାଡ଼ା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧିଖଣ୍ଡି ଅଞ୍ଚଳର କିଛି ଟ୍ୟୁସନ୍ ପଢ଼ୁଥିବା ଛାତ୍ରଛାତ୍ରୀ ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ସ୍ଥାନୀୟ ପୋଖରୀକୁ ଯାଇଥିଲେ। ଏଥିରେ ସିତାଂଶୁ ମଧ୍ୟ ସାମିଲ ଥିଲେ। ଅସାବଧାନତା ଯୋଗୁଁ ସେ ପୋଖରୀର ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ତୁରନ୍ତ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସେହିଭଳି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ଅଞ୍ଚଳର ଘୋଡାହାଡ଼ା ନଦୀରେ ବୁଧବାର ଦିନ ମୂର୍ତ୍ତି ବିସର୍ଜନ ସମୟରେ ଦୁଇଜଣ ଛାତ୍ରଙ୍କର ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ହିଞ୍ଜିଳିକାଟୁର ଗାୟତ୍ରୀ ନଗର ଓ ଗଜପତି ମାର୍ଗ ଅଞ୍ଚଳର ଏହି ଦୁଇ ଛାତ୍ର ନିଜର କିଛି ସାଙ୍ଗସାଥୀଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ନଦୀକୁ ଯାଇଥିଲେ। ନଦୀରେ ମୂର୍ତ୍ତି ବିସର୍ଜନ କରାଯାଉଥିବା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି।

ବିସର୍ଜନ କାର୍ଯ୍ୟକ୍ରମ ସମୟରେ ଉକ୍ତ ଦୁଇ ଛାତ୍ର ନଦୀ ଭିତରକୁ ଯାଇଥିଲେ କିନ୍ତୁ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଯାଇଥିଲେ ଏବଂ ଉଭୟଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ବାହାରକୁ ଆଣିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତରମାନେ ଉଭୟ ଛାତ୍ରଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିଲା। ଏହି ଘଟଣାକୁ ନେଇ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ଉକ୍ତ ଦୁଇ ଛାତ୍ର କିପରି ବୁଡ଼ିଗଲେ, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ଘଟଣା ସମ୍ପର୍କିତ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।