ଚେନ୍ନାଇରେ ଆରମ୍ଭ ହୋଇଛି ୮ମ ବେତନ କମିଶନର ଦୁଇଦିନିଆ ପରାମର୍ଶ ବୈଠକ। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ବୈଠକରେ ତାମିଲନାଡୁର କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ସଂଗଠନ ସମେତ ବିଭିନ୍ନ ହିତଧାରୀ ଯୋଗଦେଇଛନ୍ତି। ବେତନ, ପେନ୍ସନ, କର୍ମଚାରୀଙ୍କ କାର୍ଯ୍ୟ ପରିବେଶ ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ବିଷୟ ଉପରେ କମିଶନ ଅଧିକାରୀଙ୍କ ସହ ଆଲୋଚନା ହେଉଛି।
ଚେନ୍ନାଇ ପରେ ସେପ୍ଟେମ୍ବର ୯ରେ ପୁଡୁଚେରୀରେ ମଧ୍ୟ ଏହି ଆଲୋଚନା ହେବ। ଦେଶର ବିଭିନ୍ନ ସହରରେ ଚାଲିଥିବା ୮ମ ବେତନ କମିଶନର ପରାମର୍ଶ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବାର୍ଷିକ ଇନ୍କ୍ରିମେଣ୍ଟ ହାର ବଢ଼ାଇବା ଏକ ପ୍ରମୁଖ ଦାବି ଭାବେ ଉଠାଯାଇଛି।
ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବାର୍ଷିକ ଇନ୍କ୍ରିମେଣ୍ଟ ହାର ୩ ପ୍ରତିଶତ ରହିଛି। ତେବେ ୮ମ ବେତନ କମିଶନ ଅଧୀନରେ ଏହାକୁ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ବିଭିନ୍ନ କର୍ମଚାରୀ ଓ ପେନ୍ସନଭୋଗୀ ସଂଗଠନ ନିଜ ମେମୋରାଣ୍ଡମରେ ପ୍ରସ୍ତାବ ଦେଇଛନ୍ତି।
ବିଶେଷକରି ଅଲ୍ ଇଣ୍ଡିଆ ନ୍ୟୁ ପେନ୍ସନ ସ୍କିମ୍ ଏମ୍ପ୍ଲଏଜ୍ ଫେଡେରେସନ୍ (AINPSEF) ପକ୍ଷରୁ ବାର୍ଷିକ ଇନ୍କ୍ରିମେଣ୍ଟ ହାରକୁ ୭ ପ୍ରତିଶତ କରିବାକୁ ସୁପାରିସ କରାଯାଇଛି। ଯଦି ଏହି ଦାବି ଗ୍ରହଣ କରାଯାଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବାର୍ଷିକ ବେତନ ବୃଦ୍ଧିରେ ବଡ଼ ପରିବର୍ତ୍ତନ ଆସିପାରେ।