ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଜାରି କରିଥିବା ସର୍ବଶେଷ ସୂଚନାରେ କହିଛି ଯେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। IMD ଅନୁଯାୟୀ, ବର୍ତ୍ତମାନ ଉତ୍ତର ଥାଇଲ୍ୟାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ (cyclonic circulation) ସକ୍ରିୟ ରହିଛି। ଯାହା ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।
ଏହି ଘୂର୍ଣ୍ଣିବଳୟ ସେପ୍ଟେମ୍ବର ୧୮ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ସନ୍ଧ୍ୟା ସମୟରେ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହାପରେ, ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବା ସହ କ୍ରମଶଃ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।
ସୃଷ୍ଟି ହେବାକୁ ଥିବା ଏହି ଘୂର୍ଣ୍ଣିବଳୟ ଆଗାମୀ ଦିନରେ ଓଡ଼ିଶାର ପାଣିପାଗ ଉପରେ ପ୍ରଭାବ ପକାଇପାରେ। ତଥାପି, IMD ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ଚୂଡ଼ାନ୍ତ ତୀବ୍ରତା ସମ୍ପର୍କରେ କୌଣସି ପୂର୍ବାନୁମାନ କରିନାହିଁ। ଏହି ଲଘୁଚାପ କ୍ଷେତ୍ରଟି ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ବର୍ତ୍ତମାନ କୌଣସି ସରକାରୀ ପୂର୍ବାନୁମାନ କରାଯାଇନାହିଁ। ବଙ୍ଗୋପସାଗର ଉପରେ ଏହି ବ୍ୟବସ୍ଥାର ବିକାଶ ସହିତ ଏହାର ତୀବ୍ରତା, ଗତିପଥ ଏବଂ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ IMD ଅଧିକ ବିବରଣୀ ପ୍ରଦାନ କରିବ ବୋଲି ଆଶା କରାଯାଉଛି।