ହୋଟେଲ ରେ ଲାଗିଲା ନିଆଁ ; ୭ଜଣଙ୍କ ଅକାଳ ବିୟୋଗ

ଆଜି ଭୋର ପ୍ରାୟ ୪ଟା ସମୟରେ ହୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ଲୋକେ ଗଭୀର ନିଦ୍ରାରେ ଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଫଳରେ ଅଘଟଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଏହି ଘଟଣାଟି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ତାରାପୀଠ ଥାନା ନିକଟରେ ଥିବା ଏକ ହୋଟେଲରେ ଘଟିଛି। ସୂଚନା ଅନୁସାରେ, ଶ୍ରାବଣର ସୋମବାର କାରଣରୁ ତରାପିଠାକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥିଲେ । ସେଥିପାଇଁ ହୋଟେଲଟିରେ ଅନେକ ଲୋକ ରହଣି କରିଥିଲେ। ରାତିରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିବା ଯୋଗୁଁ ଆତଙ୍କ ଖେଳିଯାଇଥିଲା।
ତେବେ ଅଗ୍ନିକାଣ୍ଡ ସର୍ଟସର୍କିଟ ପାଇଁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପ୍ରକୃତ କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ଚେଷ୍ଠା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଏବେ ସେହି ସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।
ଚିକିତ୍ସା ପାଇଁ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ତେବେ ଆହତଙ୍କୁ ଦେଖି ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ଏହି ଦୁଃଖଦ ଘଟଣା ପରେ ତାରାପୀଠ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।