ବିଶ୍ୱ କୁସ୍ତି ଚୟନରୁ ଫୋଗଟଙ୍କୁ ଝଟକା, ହାଇକୋର୍ଟରେ ଖାରଜ ହେଲା ଆବେଦନ

ବିଶ୍ୱ କୁସ୍ତି ପ୍ରତିଯୋଗିତା ପୂର୍ବରୁ ତାରକା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ବଡ଼ ଝଟକା। ଭାରତୀୟ ଦଳ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଡବ୍ଲ୍ୟୁଏଫ୍‌ଆଇର ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ ନକରିବାରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା।

ଏହାକୁ ଚ୍ୟାଲେଞ୍ଜ କରି ଭିନେଶ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗର୍ଭାବସ୍ଥା ଓ ସନ୍ତାନ ପ୍ରସବ ପାଇଁ ଖେଳରୁ ବିରତି ନେବା ପରେ ସେ ପୁଣିଥରେ କୁସ୍ତି ମଇଦାନକୁ ଫେରିଛନ୍ତି। ହେଲେ ଘରୋଇ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କିତ ନିୟମ ଦର୍ଶାଇ ତାଙ୍କୁ ଜାତୀୟ ଚୟନରୁ ବାଦ୍‌ ଦିଆଯାଇଛି। ଚୟନର ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କୁ ଏହି ମାନଦଣ୍ଡ ବିଷୟରେ ଜଣାଯାଇଥିବା ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

ଅନ୍ୟପକ୍ଷରେ, ଡବ୍ଲ୍ୟୁଏଫ୍‌ଆଇ କହିଥିଲା ଯେ ଫୋଗଟଙ୍କୁ କୁସ୍ତିରୁ ସିଧାସଳଖ ବାରଣ କରାଯାଇନାହିଁ। ନିର୍ଦ୍ଧାରିତ ନିୟମ ଅନୁସାରେ ଜାତୀୟ ଚୟନରେ ଭାଗ ନେବା ପୂର୍ବରୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ବାଧ୍ୟତାମୂଳକ ବୋଲି ମହାସଂଘ ପକ୍ଷରୁ ଅଦାଲତରେ କୁହାଯାଇଥିଲା।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କ ପାଇଁ ନିୟମରେ ବ୍ୟତିକ୍ରମ କରାଯାଇପାରିବ ନାହିଁ। ତେଣୁ ଫୋଗଟଙ୍କ ଆବେଦନ ଖାରଜ କରାଯାଇଛି। ତେବେ ମାତୃତ୍ୱ ପରେ ପୁଣିଥରେ କ୍ରୀଡ଼ାକ୍ଷେତ୍ରକୁ ଫେରୁଥିବା ମହିଳା ଖେଳାଳିଙ୍କ ସମସ୍ୟାକୁ କୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏଭଳି ଖେଳାଳିଙ୍କ ପାଇଁ ଭବିଷ୍ୟତରେ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ଡବ୍ଲ୍ୟୁଏଫ୍‌ଆଇକୁ ପରାମର୍ଶ ଦିଆଯାଇଛି।