ଗୁରୁ ନାଁରେ କଳଙ୍କ କୋଚିଂ ଦେବା ବାହାନାରେ ଛାତ୍ରଙ୍କୁ ହୋଟେଲ ନେଇ ଯୌନ ନିର୍ଯାତନା

ଗୁରୁ ନାଁରେ କଳଙ୍କ କୋଚିଂ ଦେବା ବାହାନାରେ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେଲେ କଲେଜ ଅଧ୍ୟକ୍ଷ । ବରଗଡ଼ ଜିଲ୍ଲାରେ ଜଣେ ଘରୋଇ କଲେଜ ଅଧ୍ୟକ୍ଷ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ କୋଚିଂ ଦେବା ବାହାନାରେ ଏକ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ। ଅଭିଯୁକ୍ତ ଜଣକ ହେଲେ ଜିଲ୍ଲାର ବରଡୋଲ ସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ଦେବଦତ୍ତ ପ୍ରଧାନ।

ଅଭିଯୋଗ ଅନୁଯାୟୀ, ଦେବଦତ୍ତ ପ୍ରଥମେ ଛାତ୍ରଙ୍କୁ କଲେଜର କୋଚିଂ ସେଣ୍ଟରରୁ ବରଗଡ଼ ନେଇଯାଇଥିଲେ। ପରେ ସେ ଏକ ହୋଟେଲ ରୁମ୍ ବୁକ୍ କରି ଛାତ୍ରଙ୍କୁ ସେଠାକୁ ନେଇଥିଲେ। ପରିବାର ଲୋକଙ୍କୁ କୁହାଯାଇଥିଲା ଯେ ପାଠପଢ଼ା ପାଇଁ ଛାତ୍ରଙ୍କୁ ରାତିରେ ସେଠାରେ ରହିବାକୁ ପଡ଼ିବ। ତେବେ, ଅଭିଯୋଗ ଅନୁସାରେ ଅଧ୍ୟକ୍ଷ ହୋଟେଲ ରୁମ୍ ଭିତରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଛାତ୍ର ଜଣକ ନିଜ ପରିବାରକୁ ଏହି ଘଟଣା ସମ୍ପର୍କରେ ଜଣାଇ ଏକ ବାର୍ତ୍ତା ପଠାଇବାରେ ସଫଳ ହୋଇଥିଲେ। ଏହା ପରେ ପରିବାର ଲୋକେ ପୋଲିସର ସହାୟତା ଲୋଡ଼ିଥିଲେ ଏବଂ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ବରଗଡ଼ ଟାଉନ୍ ପୋଲିସ ଦେବଦତ୍ତ ପ୍ରଧାନଙ୍କୁ ଗିରଫ କରିବା ସହ ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ପରିବାର ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।