ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର: ସିଂହୀ ‘ମାୟା’ର ଦୁଇ ଶାବକଙ୍କର ମୃତ୍ୟୁ

ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୁରୁବାର ଅର୍ଥାତ ସେପ୍ଟେମ୍ବର ୧୦ ତାରିଖ ଦିନ ସିଂହୀ ‘ମାୟା’ର ଆଉ ଏକ ଶାବକର ମୃତ୍ୟୁ ଘଟିଛି । ଜନ୍ମ ହେବାର ମାତ୍ର ତିନି ଦିନ ପରେ ଏହି ଘଟଣା ଘଟିଥିଲା। ଆଖି ଖୋଲିବା ପୂର୍ବରୁ ହିଁ ଏହି ଅଣ୍ଡିରା ଛୁଆଟିର ମୃତ୍ୟୁ ହୋଇଯାଇଥିଲା, ଫଳସ୍ୱରୂପ ମାୟାର ଉଭୟ ଶାବକଙ୍କ ପ୍ରାଣହାନୀ ଘଟିଛି। ପ୍ରଥମ ଥର ପାଇଁ ମା’ ହୋଇଥିବା ମାୟା ସେପ୍ଟେମ୍ବର ୭ ତାରିଖରେ ଦୁଇଟି ସିଂହ ଶାବକଙ୍କୁ ଜନ୍ମ ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ଶାବକ ଜନ୍ମ ହେବାର କିଛି ଘଣ୍ଟା ପରେ ମୃତ୍ୟୁବରଣ କରିଥିବା ବେଳେ, ଦ୍ୱିତୀୟ ଛୁଆଟି ତିନି ଦିନ ବଞ୍ଚିବା ପରେ ମୃତ୍ୟୁବରଣ କରିଥିଲା।

ସୂଚନା ଅନୁଯାୟୀ, ଜନ୍ମଗତ ତ୍ରୁଟି କାରଣରୁ ତିନି ଦିନର ଏହି ଅଣ୍ଡିରା ଛୁଆଟି ମା’ର କ୍ଷୀର ଠିକ୍ ଭାବରେ ପିଇ ପାରୁନଥିଲା। ପାଟି ବାଟେ ଯିବା ପରିବର୍ତ୍ତେ କ୍ଷୀର ନାକ ବାଟେ ବାହାରି ଆସୁଥିଲା। ପୋଷ୍ଟ-ମର୍ଟମ୍ ରିପୋର୍ଟ ଅନୁଯାୟୀ, ଜନ୍ମଗତ ଭାବେ ତାଳୁ ଫାଟି ରହିଥିବା କାରଣରୁ ଛୁଆଟି ପର୍ଯ୍ୟାପ୍ତ ପରିମାଣର କ୍ଷୀର ପିଇ ପାରିନଥିଲା ଏବଂ ଏହା ହିଁ ତା’ର ମୃତ୍ୟୁର ମୁଖ୍ୟ କାରଣ ଥିଲା।

ତେବେ ସିଂହୀ ମାୟା ପାଇଁ ଏହା ଏକ ବଡ଼ ଦୁଃଖଦ ଘଟଣା ଥିଲା, କାରଣ ସେ ପ୍ରଥମ ଥର ପାଇଁ ମା’ ହେବାର ଅନୁଭୂତି ଲାଭ କରିଥିଲା। ଏହା ମାୟାର ପ୍ରଥମ ପ୍ରସବ ହୋଇଥିବାରୁ, ନବଜାତ ଛୁଆର ଯତ୍ନ ନେବା ପାଇଁ ଆବଶ୍ୟକ ମାତୃସୁଲଭ ସହଜାତ ପ୍ରବୃତ୍ତି ତାନିକଟରେ ସୃଷ୍ଟି ହୋଇନଥିଲା।