ନୂଆପଡ଼ା ଜମି ଜାଲିଆତି ମାମଲା: ତିନି ଦଲାଲ ଗିରଫ

କୋମନା ଜମି ଜାଲିଆତି ମାମଲାରେ ପୋଲିସକୁ ବଡ଼ ସଫଳତା ହାସଲ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନିଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୋମନା ଥାନା ଅନ୍ତର୍ଗତ ପେଣ୍ଡ୍ରାବାନ ଗ୍ରାମର ଭଗତରାମ ଡୁରିଆଙ୍କ ପୁଅ ସନ୍ତୋଷ କୁମାର ଡୁରିଆ, ବୋଡେନ ଥାନା ଅନ୍ତର୍ଗତ କୋରଙ୍ଗାମାଲ ଗ୍ରାମର କେଶବ ପ୍ରସାଦ ପଣ୍ଡାଙ୍କ ପୁଅ ରାମଲାଲ ପଣ୍ଡା, ଏବଂ ବୋଡେନ ଥାନା ଅନ୍ତର୍ଗତ ଡାଟୋ ଗ୍ରାମର ଚରଣ ବାଗଙ୍କ ପୁଅ ଜ୍ୟାକ୍ସନ୍ ବାଗ୍।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାପକ ଜମି ଜାଲିଆତି ରାକେଟ୍ ସମ୍ବନ୍ଧୀୟ ଚାଲିଥିବା ତଦନ୍ତ ସମୟରେ ଏହି ତିନି ଜଣଙ୍କ ସମ୍ପୃକ୍ତି ବିଷୟରେ ଜଣାପଡ଼ିଥିଲା। ସେମାନଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ।

ଏହା ପୂର୍ବରୁ ମଧ୍ୟ ଏହି ମାମଲାରେ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଗିରଫ କରାଯାଇସାରିଛି। ଏହି ଜମି ଜାଲିଆତି ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚିନ୍ତା ସୃଷ୍ଟି କରିଥିବା ବେଳେ, ଏହା ପଛରେ ଥିବା ସମ୍ପୂର୍ଣ୍ଣ ନେଟୱାର୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।