ଦକ୍ଷିଣ ଓଡ଼ିଶାରେ ହେବ ଅଧିକରୁ ଅଧିକ ବର୍ଷା ଗତ 2 ମାସ ହୋଇଯିବ ସାରା ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗି ରହିଥିଲା କିନ୍ତୁ ସେପ୍ଟେମ୍ୱର ଆରମ୍ଭରୁ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ଘଟିଛି । ବେଶ୍ କିଛିଦିନ ହୋଇଯିବ ପାରଦ ଉପରମୁହାଁ ରହିଥିବାବେଳେ ଗରମ, ଗୁଳୁଗୁଳି ବଢିଛି । ଏହାରି ଭିତରେ ଆସୁଛି ଆଉ ଏକ ଲଘୁଚାପ । ଓଡିଶାରେ ପୁଣି ବଢିବ ବର୍ଷା । ବଙ୍ଗୋପସାଗରରେ ପୁଣି ଥରେ ଏକ ନୂଆ ପାଣିପାଗ ସିଷ୍ଟମ୍ ଗଠନ ହେବାର ସମ୍ଭାବନା ଦେଖାଦେଇଛି । ସେପ୍ଟେମ୍ବର 22 ତାରିଖ ଆଡକୁ ଏହା ଲଘୁଚାପର ରୂପ ନେଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ପ୍ରାଥମିକ ଭାବେ ସେପ୍ଟେମ୍ବର 20 ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ୍ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ସଂଗଠିତ ହେବାର ସମ୍ଭାବନା ରହିଛି । 22 ସେପ୍ଟେମ୍ବର ଆଡକୁ ଏହା ଲଘୁଚାପର ରୂପ ନେଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ । ଏହାର ପ୍ରଭାବରେ ସେପ୍ଟେମ୍ବର ଶେଷ ସପ୍ତାହରେ ଓଡିଶାରେ ପୁଣି ବର୍ଷାର ପରିମାଣ ବଢିପାରେ । ବିଶେଷକରି ଦକ୍ଷିଣ ଓଡିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅଧିକରୁ ଅଧିକ ବର୍ଷା ହୋଇପାରେ । ଗତ ସେପ୍ଟେମ୍ବର 10 ତାରିଖରେ ଗଠିତ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇଥିଲା । ବର୍ତ୍ତମାନ ବର୍ଷାର ପ୍ରଭାବ କିଛିଟା କମିଥିଲେ ମଧ୍ୟ, ଆଉ ଏକ ଲଘୁଚାପର ସମ୍ଭାବନା ଚିନ୍ତା ବଢାଇଛି ।