ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ! ପ୍ରତିବର୍ଷ ବିଘ୍ନବିନାଶକଙ୍କ ଆଗମନ ସହ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ବିଘ୍ନବିନାଶକଙ୍କ ପୂଜା ପୂର୍ବରୁ ସହରର ଗଳି କନ୍ଦିରେ ଝଲସିଲାଣି ପୂଜା ମଣ୍ଡପ । ହେଲେ ଏହି ଉତ୍ସବ ଭିତରେ ସ୍ଥାନୀୟ ମୃତ୍ତିକା ଶିଳ୍ପୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । କାହିଁକିନା ବାହାର ରାଜ୍ୟର କେମିକାଲ୍ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ଆଗରେ ଫିକା ପଡ଼ିଯାଇଛି ଶହେ ବର୍ଷର ପାରମ୍ପରିକ ମାଟି ମୂର୍ତ୍ତି ।
ସହରରେ ଗଣେଶ ପୂଜାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଛୋଟବଡ଼ ଅନେକ ମଣ୍ଡପରେ ପ୍ରଭୁ ଗଜାନନଙ୍କୁ ବିରାଜମାନ କରିବା ପାଇଁ ସାଜସଜ୍ଜା ଜୋରଦାର ଚାଲିଛି । ତେବେ ପୂଜାର ମୁଖ୍ୟ ଆକର୍ଷଣ ସାଜିଥାଏ ପ୍ରଭୁଙ୍କ ମୂର୍ତ୍ତି । ଦିନକୁ ଦିନ ବଜାରକୁ ଆସୁଥିବା ନୂଆ ନୂଆ ଡିଜାଇନ୍ର ଆକର୍ଷଣୀୟ ମୂର୍ତ୍ତି ପ୍ରତି ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଉଛି ।
ବାହାର ରାଜ୍ୟରୁ ଆସୁଥିବା ନାନାଦି ରାସାୟନିକ ରଙ୍ଗ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ତିଆରି ମୂର୍ତ୍ତିଗୁଡ଼ିକ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରୁଛି, ଯାହା ଫଳରେ ଏହି ମୂର୍ତ୍ତିଗୁଡ଼ିକର ବ୍ୟବସାୟ ବଜାରରେ ବେଶ୍ ଜମୁଛି । ଅନ୍ୟପଟେ ବାହାର ରାଜ୍ୟର ଚମକଦାର ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ଆଗରେ ଫିକା ପଡ଼ିଯାଉଛି ସ୍ଥାନୀୟ ମୃତ୍ତିକା ଶିଳ୍ପୀଙ୍କ ହାତତଆରି ପାରମ୍ପରିକ ମାଟି ମୂର୍ତ୍ତି । ଦିନରାତି ଏକ କରି ମାଟିରେ ଜୀବନ୍ୟାସ ଦେଉଥିବା ସ୍ଥାନୀୟ କାରିଗରଙ୍କ ପାଖରୁ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି । ଫଳରେ କଠିନ ପରିଶ୍ରମ କରି ମଧ୍ୟ ଉଚିତ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ମୂର୍ତ୍ତି କାରିଗର । ଏମିତିକି ବାହାର ରାଜ୍ୟର ବ୍ୟବସାୟୀଙ୍କ ପାଇଁ ଏହା ‘ପୁଷ ମାସ’ ପାଲଟିଥିବା ବେଳେ, ପାରମ୍ପରିକ କାରିଗରଙ୍କ ପାଇଁ ଏହା ‘ସର୍ବନାଶ’ର ରୂପ ନେଇଛି । ପରିବେଶ ସୁରକ୍ଷା ଓ ସ୍ଥାନୀୟ କଳାକାରଙ୍କ ଜୀବିକା ରକ୍ଷା ପାଇଁ ମାଟି ମୂର୍ତ୍ତିର ବ୍ୟବହାର କେତେ ଜରୁରୀ, ତାହା ଆମ ସମସ୍ତଙ୍କୁ ଭାବିବାର ସମୟ ଆସିଛି । ପାରମ୍ପରିକ ମୃତ୍ତିକା କଳାକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ସ୍ଥାନୀୟ କାରିଗରଙ୍କ ହାତତଆରି ମାଟି ମୂର୍ତ୍ତି ଆପଣାଇବାକୁ ପଡ଼ିବ ।