ପାରା ତୀରନ୍ଦାଜରେ ୧୫ ପଦକ ହାସଲ

ବିଶ୍ୱ ତୀରନ୍ଦାଜ ପାରା ସିରିଜରେ ଭାରତ ୧୫ ପଦକ ହାସଲ କରିଛି । ଭାରତ ୪ସ୍ୱର୍ଣ୍ଣ , ୩ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୧୫ ପଦକ ଜିତିଛି । ଶେଷ ଦିନରେ ପାରାଲିମ୍ପିକ୍‌ ବିଜେତା ହରବିନ୍ଦର ସିଂହ ଓ ବିଜୟ ସୁନ୍ଦି ରିକର୍ଭ ପୁରୁଷ ଯୁଗଳରେ ସ୍ବର୍ଣ୍ଣ ଜିତିଥିଲେ। ଏହା ପୂର୍ବରୁ ଭାବନାଙ୍କ ସହ ମିଶ୍ରିତ ଯୁଗଳରେ ହରବିନ୍ଦର ସ୍ବର୍ଣ୍ଣ ଜିତିଥିଲେ ।ପୁରୁଷ ଯୁଗଳ କମ୍ପାଉଣ୍ଡରେ ଶ୍ୟାମସୁନ୍ଦର ସ୍ବାମୀ ଓ ତୋମାନ କୁମାର ଭାରତକୁ ତୃତୀୟ ସ୍ବର୍ଣ୍ଣ ଭେଟି ଦେଇଥିଲେ। ଏହାପୂର୍ବରୁ ବିଶ୍ବ ବିଜୟିନୀ ତଥା ପ୍ୟାରିସ୍‌ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ଶୀତଲ ଦେବୀ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ମୁକୁଟ କରାୟତ୍ତ କରିଥିଲେ। ସରିତା ଏହି ଇଭେଣ୍ଟ୍‌ରେ କାଂସ୍ୟ ପାଇଥିଲେ। ଭାବନା ଓ ପୂଜା ପାରା ରିକର୍ଭ ମହିଳା ଯୁଗଳରେ, ତନ୍‌ଭୀ ଇନ୍‌ଗାଲେ ଦୃଷ୍ଟିବାଧିତରେ ଏବଂ ସ୍ବାତୀ ଚୌଧୁରୀ ଓ ଆଦିଲ ମହମ୍ମଦ ନାଜିର ଅନ୍‌ସାରି ଡବ୍‌ଲ୍ୟୁ୧ ମିଶ୍ରିତ ଦଳଗତରେ ଭାରତ ପାଇଁ ରୌପ୍ୟ ଜିତିଥିଲେ। ମହିଳା ବ୍ୟକ୍ତିଗତ ବର୍ଗରେ ଯୁଗଳ ଗର୍ଗ (ଦୃଷ୍ଟିବାଧିତ), ସ୍ବାତୀ (ଡବ୍‌ଲ୍ୟୁ୧) କାଂସ୍ୟ ପାଇଥିଲେ । ଶୀତଲ ଓ ବିଶ୍ବ ବିଜେତା ତୋମାନ କୁମାର ପାରା କମ୍ପାଉଣ୍ଡ ମିଶ୍ରିତ ଦଳଗତରେ କାଂସ୍ୟ ଜିତିଥିଲେ ।