୩୮ ବର୍ଷ ପରେ ଶ୍ରୀଲଙ୍କା ଗସ୍ତ କରିବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ତିନୋଟି ନୂଆ ବୁଝାମଣାପତ୍ର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ପ୍ରସ୍ତାବିତ ବୁଝାମଣା ମଧ୍ୟରେ ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଏୟାର ଡିଫେନ୍ସ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଆଲୋଚନା ହୋଇପାରେ। ଆକାଶମାର୍ଗରୁ ଆସୁଥିବା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଶ୍ରୀଲଙ୍କା ଭାରତଠାରୁ ଏୟାର ଡିଫେନ୍ସ ଗନ୍ ଏବଂ ‘ଆକାଶ’ ଏୟାର ଡିଫେନ୍ସ ସିଷ୍ଟମ୍ ଭଳି ସ୍ୱଳ୍ପ ଓ ମଧ୍ୟମ ଦୂରଗାମୀ ପ୍ରତିରକ୍ଷା ବ୍ୟବସ୍ଥା ନେବାକୁ ଆଗ୍ରହ ଦେଖାଇଛି।

ଅନ୍ୟ ଦୁଇଟି ବୁଝାମଣା ଶ୍ରୀଲଙ୍କା ସେନାବାହିନୀର କର୍ମଚାରୀଙ୍କ ତାଲିମ ଓ କ୍ଷମତା ବୃଦ୍ଧି ସହ ଜଡ଼ିତ ବୋଲି ଜଣାପଡ଼ିଛି। ଏହା ସହିତ ଗତବର୍ଷ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ସମୟରେ ସ୍ୱାକ୍ଷରିତ ୫ ବର୍ଷିଆ ବ୍ୟାପକ ପ୍ରତିରକ୍ଷା ସହଯୋଗ ଚୁକ୍ତିର ମଧ୍ୟ ସମୀକ୍ଷା କରାଯିବ।

ଗସ୍ତ ସମୟରେ ରାଜନାଥ ସିଂହ ଶ୍ରୀଲଙ୍କା ରାଷ୍ଟ୍ରପତି ତଥା ପ୍ରତିରକ୍ଷା ମନ୍ତ୍ରୀ ଅନୁରା କୁମାରା ଦିସାନାୟକେଙ୍କୁ ଭେଟିବେ। ଏହି ସାକ୍ଷାତରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ସହ ଆଞ୍ଚଳିକ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ଚୋରାଚାଲାଣ ରୋକିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ।

ବିଶେଷ କଥା ହେଉଛି, ୧୯୮୮ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କେ.ସି. ପନ୍ତଙ୍କ ଗସ୍ତ ପରେ ପ୍ରାୟ ୩୮ ବର୍ଷ ପରେ ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ କରୁଛନ୍ତି। ଭାରତ ମହାସାଗରରେ ଶ୍ରୀଲଙ୍କାର ରଣନୈତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଗସ୍ତ ଦୁଇ ଦେଶର ପ୍ରତିରକ୍ଷା ଭାଗୀଦାରିକୁ ନୂଆ ଦିଗ ଦେବା ସହ ଭାରତର ‘ନେବରହୁଡ୍ ଫାଷ୍ଟ’ ନୀତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।