ସହିଦ ବାଘାଯତୀନଙ୍କ ୧୧୧ ତମ ବଳିଦାନ ଦିବସ ଆଜି କପ୍ତିପଦା ମହୁଲଡିହା ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ , ପ୍ରକଳ୍ପ ପ୍ରଶାସକ ଆଶିଷ କୁମାର ମହାପାତ୍ର ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ। ସକାଳ ସମୟରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା। ଏହି ଅବସରରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଅତିଥି ମାନେ ସହିଦ ବାଘାଯତୀନଙ୍କର ବଳିଦାନ ଏବଂ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। କିଭଳି ଭାବେ ବ୍ରିଟିଶ ମାନଙ୍କୁ ତଡି ପାର କରିବାରେ ବାଘାଯତୀନ ନିଜର ଯୌବନ କୁ ନ୍ୱେଛାବର କରିଥିଲେ ତାହା ଉପରେ କହିଥିଲେ ସମସ୍ତ ଅତିଥି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପ୍ରତିଭାଙ୍କ ସହିତ ସଂଘର୍ଷ କରି ନିଟ ପାସ କରିଥିବା ଦୁଇ ଭଉଣୀ ଯାଜ୍ଞସେନି ଖଟୁଆ ଏବଂ ଦିବ୍ୟସେନି ଖଟୁଆ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଗାମୀ ଦିନରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ହିଁ ଦେଶ ପାଇଁ ସେବା କରିବାର ଆହ୍ୱାନ ଦେଇଥିଲେ ଅତିଥିମାନେ। ଏହି ଦିବସ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।