ଭାରତୀୟ କ୍ରିକେଟ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି ୩ ବଡ଼ ବ୍ରାଣ୍ଡ୍। ଆଗାମୀ ଘରୋଇ ସିରିଜ୍ ପାଇଁ କ୍ୟାମ୍ପା କୋଲା, SBI ଲାଇଫ୍ ଓ ChatGPTକୁ ଆସୋସିଏଟ୍ ପାର୍ଟନର ଭାବେ ଚୟନ କରିଛି ବିସିସିଆଇ। ଏହି ନୂଆ ଚୁକ୍ତି ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ୩୫ଟି ମ୍ୟାଚ୍ରେ ଏହି ୩ ବ୍ରାଣ୍ଡ୍ ଟିମ୍ ଇଣ୍ଡିଆ ସହ ଆସୋସିଏଟ୍ ପାର୍ଟନର ଭାବେ ରହିବେ।
ପୂର୍ବରୁ ବିସିସିଆଇର ଆସୋସିଏଟ୍ ପାର୍ଟନରଶିପ୍ ଚୁକ୍ତି ଅଗଷ୍ଟ ୨୦୨୬ରେ ଶେଷ ହୋଇଥିଲା। ଏହାପରେ ଜୁଲାଇ ମାସରେ ନୂଆ ଟାଇଟଲ୍ ସ୍ପନ୍ସର ଏବଂ ଆସୋସିଏଟ୍ ପାର୍ଟନର ପାଇଁ ବୋର୍ଡ ପକ୍ଷରୁ ବିଡ୍ ଆହ୍ୱାନ କରାଯାଇଥିଲା। ଏହି ଚୁକ୍ତିରେ ଭାରତୀୟ ଦଳର ଅନ୍ତର୍ଜାତୀୟ ମ୍ୟାଚ୍ ସହ ରଣଜୀ ଟ୍ରଫି ଭଳି ଘରୋଇ ଟୁର୍ଣ୍ଣାମେଣ୍ଟ ମଧ୍ୟ ସାମିଲ ଥିଲା।
ଆସୋସିଏଟ୍ ପାର୍ଟନର ପାଇଁ ସବୁଠାରୁ ଅଧିକ ବିଡ୍ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧୀନସ୍ଥ କ୍ୟାମ୍ପା କୋଲା। ପ୍ରତି ମ୍ୟାଚ୍ ପାଇଁ କ୍ୟାମ୍ପା କୋଲା ୧.୩୧ କୋଟି ଟଙ୍କା ଦେବ। ସେହିପରି SBI ଲାଇଫ୍ ଓ ChatGPT ପ୍ରତ୍ୟେକ ମ୍ୟାଚ୍ ପାଇଁ ୧.୨୦ କୋଟି ଟଙ୍କା ଲେଖାଏଁ ବିଡ୍ କରିଛନ୍ତି। ୩୫ଟି ମ୍ୟାଚ୍ ପାଇଁ ବିସିସିଆଇକୁ ମୋଟ ୧୨୯.୮୫ କୋଟି ଟଙ୍କା ମିଳିବ।
କ୍ୟାମ୍ପା କୋଲାକୁ ଆସୋସିଏଟ୍ ପାର୍ଟନର ହେବା ପାଇଁ ବିସଲେରୀ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ମିଳିଥିଲା। ଉଭୟ କମ୍ପାନୀ ପ୍ରତି ମ୍ୟାଚ୍ ପାଇଁ ୧.୨୦ କୋଟି ଟଙ୍କାର ବିଡ୍ ଦେଇଥିଲେ।
ତେବେ ଆସୋସିଏଟ୍ ପାର୍ଟନର ହୋଇଥିଲେ ମଧ୍ୟ ଏହି ୩ ବ୍ରାଣ୍ଡ୍ର ନାମ କିମ୍ବା ଲୋଗୋ ଟିମ୍ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିବ ନାହିଁ। ଜର୍ସିରେ କେବଳ ଟାଇଟଲ୍ ସ୍ପନ୍ସରଙ୍କ ନାମ ରହିଥାଏ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ ସ୍ପନ୍ସର ରହିଛି ଆପୋଲୋ ଟାୟାର୍ସ।
ଆସୋସିଏଟ୍ ପାର୍ଟନରଙ୍କ ଲୋଗୋ ମ୍ୟାଚ୍ ସମୟରେ ଟିଭି ଗ୍ରାଫିକ୍ସ, ବାଉଣ୍ଡାରୀ କୁଶନ୍ ଏବଂ ଷ୍ଟାଡିୟମର ଅନ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ।
ସେପଟେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଘରୋଇ ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବ। ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ।