ନିଖୋଜ ଡାକ୍ତରୀ ଛାତ୍ର ସାଗର ସାହୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବସଷ୍ଟାଣ୍ଡରୁ ଉଦ୍ଧାର

କୁଆଖିଆ ପୋଲିସର ପ୍ରୟାସରେ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ଡାକ୍ତରୀ ଛାତ୍ର ସାଗର ସାହୁଙ୍କୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି।ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଅନ୍ତର୍ଗତ ଟାକୁଆଠେଙ୍ଗ କପାଳୀ ଗାଁର ସାଗର ସାହୁ ଜଣେ ମେଧାବୀ ଛାତ୍ର। ସେ ୨୦୨୫ ମସିହାରେ ନିଟ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ (MKCG) ରେ ଏମବିବିଏସ୍ ରେ ନାମ ଲେଖାଇ ମେଡିକାଲ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତ ଅଗଷ୍ଟ ୩୧ ତାରିଖରୁ ତାଙ୍କର କୌଣସି ପତ୍ତା ମିଳୁ ନଥିଲା।ଏ ସମ୍ପର୍କରେ ତାଙ୍କ ପିତା ରବୀନ୍ଦ୍ର ସାହୁ ବ୍ରହ୍ମପୁର ଥାନାରେ ଏତଲା ଦେଇଥିଲେ। ସେଠାକାର ଥାନା ଅଧିକାରୀ କୁଆଖିଆ ଥାନାକୁ ସହଯୋଗ ପାଇଁ ଅନୁରୋଧ କରିବା ପରେ କୁଆଖିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସେଠୀ ୩ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ।

ଆଜି ସାଗର ଏକ ବସରେ ଯାଉଥିବା ବେଳେ ବସ୍ କଣ୍ଡକ୍ଟରଙ୍କ ମୋବାଇଲ ଫୋନ୍ ମାଗି ନିଜ ପିତାଙ୍କୁ ଫୋନ୍ କରି ଜଣାଇଥିଲେ। ତାଙ୍କ ପିତା ତତ୍କ୍ଷଣାତ୍ କୁଆଖିଆ ଥାନା ଅଧିକାରୀଙ୍କୁ ଜଣାଇବା ପରେ ଥାନା ଅଧିକାରୀ ଶ୍ରୀ ସେଠୀ ସେହି ନମ୍ବରକୁ ଟ୍ରାକ୍ କରି ଲୋକେସନ୍ ଜାଣି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତିରିଂ ଥାନା ପୋଲିସ ସାଗରଙ୍କୁ ଉଦ୍ଧାର କରି କୁଆଖିଆ ପୋଲିସକୁ ହସ୍ତାନ୍ତର କରିଥିଲା।ପରେ କୁଆଖିଆ ପୋଲିସ ଆଜି ସକାଳେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଗରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କରିଛି। ଏହି ସଫଳ ଉଦ୍ଧାର ପାଇଁ କୁଆଖିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କୁ ସବୁ ମହଲରୁ ଧନ୍ୟବାଦ ଜଣାଯାଇଛି।