କାର୍ଲୋସ୍ ଅଲ୍କାରେଜ୍ଙ୍କୁ କ୍ୱାର୍ଟର ଫାଇନାଲ୍ରେ ହରାଇଲେ ବେନ୍ ଶେଲଟନ୍

ୟୁଏସ୍ ଓପନ୍‌ ୨୦୨୬ରେ ବଡ଼ ଓଲଟପାଲଟ। ଟେନିସ୍‌ ଦୁନିଆର ଚର୍ଚ୍ଚିତ ତାରକା କାର୍ଲୋସ୍ ଅଲ୍‌କାରେଜ୍‌ଙ୍କୁ କ୍ୱାର୍ଟର ଫାଇନାଲ୍‌ରେ ହରାଇ ଦେଇଛନ୍ତି ଆମେରିକୀୟ ଖେଳାଳି ବେନ୍ ଶେଲଟନ୍‌। ବିଶ୍ୱ ରାଙ୍କିଂରେ ୮ ନମ୍ବର ସ୍ଥାନରେ ଥିବା ଶେଲଟନ୍‌, ନମ୍ବର-୩ ଅଲ୍‌କାରେଜ୍‌ଙ୍କୁ ମାତ୍‌ ଦେଇ ଏବେ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ କେବଳ ଶେଲଟନ୍‌ଙ୍କ ବିଜୟ ନୁହେଁ, ଅଲ୍‌କାରେଜ୍‌ଙ୍କ ପାଇଁ ମଧ୍ୟ ଏକ ବଡ଼ ଝଟକା। ଗ୍ରାଣ୍ଡସ୍ଲାମ୍‌ରେ ତାଙ୍କ କ୍ରମାଗତ ୧୮ ମ୍ୟାଚ୍‌ର ବିଜୟ ଧାରା ଶେଲଟନ୍‌ଙ୍କ ହାତରେ ଶେଷ ହୋଇଛି।

ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଚାଲିଥିବା ଏହି ହାଇଭୋଲ୍ଟେଜ୍‌ ମୁକାବିଲାରେ ଦର୍ଶକଙ୍କୁ ମିଳିଥିଲା ଜବରଦସ୍ତ ଟେନିସ୍‌ର ରୋମାଞ୍ଚ। ପ୍ରଥମ ସେଟ୍‌ରେ ଅଲ୍‌କାରେଜ୍‌ ଟାଇବ୍ରେକର୍‌ରେ ୭-୬ରେ ବାଜି ମାରିଥିଲେ। ଲାଗୁଥିଲା ମ୍ୟାଚ୍‌ ତାଙ୍କ ନିୟନ୍ତ୍ରଣରେ ରହିବ। କିନ୍ତୁ ଶେଲଟନ୍‌ ହାର ମାନିନଥିଲେ। ଦ୍ୱିତୀୟ ସେଟ୍‌ରେ ଅଲ୍‌କାରେଜ୍‌ଙ୍କୁ ସମ୍ପୂର୍ଣ୍ଣ ଚାପରେ ରଖି ୬-୧ରେ ସେଟ୍‌ ଜିତି ମ୍ୟାଚ୍‌କୁ ୧-୧ରେ ନେଇ ଆସିଥିଲେ। ତୃତୀୟ ସେଟ୍‌ରେ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ଅଲ୍‌କାରେଜ୍‌ ଫିକା ପଡ଼ିଥିଲେ। ଶେଲଟନ୍‌ ୬-୩ରେ ଏହି ସେଟ୍‌ ନିଜ ନାମରେ କରି ବିଜୟ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଥିଲେ।

ଅନ୍ୟପଟେ ଆହତ ସମସ୍ୟାରୁ ଫେରିଥିବା ଅଲ୍‌କାରେଜ୍‌ଙ୍କ ପାଇଁ ୟୁଏସ୍ ଓପନ୍‌ ଅଭିଯାନ ଏଠାରେ ଶେଷ ହୋଇଛି। ୨୦୨୫ ୱିମ୍ବଲଡନ୍‌ ଫାଇନାଲ୍‌ରେ ଜାନିକ୍ ସିନର୍‌ଙ୍କଠାରୁ ପରାଜୟ ପରେ ଗ୍ରାଣ୍ଡସ୍ଲାମ୍‌ରେ ତାଙ୍କ ବିଜୟ ରଥ ଦୌଡ଼ି ଚାଲିଥିଲା। ହେଲେ ଶେଲଟନ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ସେହି ରଥକୁ ଅଟକାଇ ଦେଇଛି। ଏବେ ନଜର ରହିବ ସେମିଫାଇନାଲ୍‌ରେ ଶେଲଟନ୍‌ଙ୍କ ପ୍ରଦର୍ଶନ ଉପରେ। ଅଲ୍‌କାରେଜ୍‌ଙ୍କୁ ହରାଇ ତାଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ ହୋଇଥିବା ବେଳେ ୟୁଏସ୍ ଓପନ୍‌ ଟାଇଟଲ୍‌ ପାଇଁ ତାଙ୍କ ଦାବି ଏବେ ଆହୁରି ମଜବୁତ ହୋଇଛି।