ବିଧାନସଭା ଉପ-ନିର୍ବାଚନ ପାଇଁ ସରଗରମ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ରେଜିନଗର ଆସନରେ ଦଳ ଶାଖାରବ ସରକାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ନନ୍ଦିଗ୍ରାମରୁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ ରଥ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସ୍ୱର୍ଗତଃ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ମା’। ଗତ ମେ’ ମାସରେ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ ଅର୍ଥାତ୍ ମେ’ ୬ ତାରିଖରେ ୪୨ ବର୍ଷୀୟ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପରଗଣାର ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଥିଲା। ସିବିଆଇ ଘଟଣାର ତଦନ୍ତ ଦାୟିତ୍ୱ କରୁଥିବା ବେଳେ ଏକାଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।ସେମାନଙ୍କ ମଧ୍ୟରେ ଦୁଇ ଜଣ ସୁପାରୀ କିଲର ଥିଲେ।
ଅଧିକାରୀ ପରିବାର ସହିତ ରଥ ପରିବାର ମଧ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ରାଜନୀତିକ ଓ ବ୍ୟକ୍ତିଗତ ସଂପର୍କ ରହିଆସିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ଉଭୟରେ ବିଜୟୀ ହୋଇଥିଲେ। ସେ ଭବାନୀପୁର ଆସନକୁ ରଖିଥିବା ବେଳେ ନନ୍ଦିଗ୍ରାମ ଆସନକୁ ଛାଡ଼ି ଦେଇଥିଲେ। ତେଣୁ ଏହି ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଯାଉଛି। ସେହିପରି ରେଜିନଗର ଆସନରୁ ବିଜୟୀ ହୋଇଥିବା ଆମ୍ ଜନତା ଉନ୍ନୟନ ପାର୍ଟି ନେତା ହୁମାୟୁନ କବିର ନାଓଡା ଆସନରୁ ମଧ୍ୟ ଜିତିଥିଲେ। ତେଣୁ ସେ ରେଜିନଗର ଆସନକୁ ଛାଡ଼ିଥିବାରୁ ଏଠାରେ ଉପ-ନିର୍ବାଚନ କରାଯିବ।