ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତାଙ୍କ ସ୍କୁଲ ମେଟ। ଏକ ଜମି ବିବାଦରେ କଲେ ସିବିଆଇ ଦାବି। ମହାରାଷ୍ଟ୍ରର ମୀରା-ଭାୟନ୍ଦରରେ ଥିବା ତାଙ୍କର ଏକ ଜମି ବିବାଦର ସିବିଆଇ (CBI) ତଦନ୍ତ ଦାବି କରିଛନ୍ତି। ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟାଙ୍କ ସହ ଜଡ଼ିତ ବିଲ୍ଡରମାନେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ତାଙ୍କ ସମ୍ପତ୍ତି ହଡ଼ପ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଗୁଜରାଟର ଭାଦନଗରସ୍ଥିତ ବିଏନ୍ ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦି ପାଠ ପଢ଼ୁଥିବା ବେଳେ ଅସଗରଅଲ୍ଲୀ ଭୋରା ମଧ୍ୟ ସେଠାକାର ଛାତ୍ର ଥିଲେ। ସେପ୍ଟେମ୍ବର ୮ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଓ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।
ସେ କହିଛନ୍ତି, ୧୯୮୯ ମସିହାରେ ଏକ ପଞ୍ଜୀକୃତ ଚୁକ୍ତିପତ୍ର ମାଧ୍ୟମରେ ଭାୟନ୍ଦର ଇଷ୍ଟସ୍ଥିତ ନବଘର ରୋଡ୍ରେ ପ୍ରାୟ ୨,୮୧୦ ବର୍ଗ ମିଟର ଜମି କିଣିଥିଲେ। ସେ ଏହି ଜମିକୁ ବିକ୍ରି କରିନାହାନ୍ତି କିମ୍ବା କାହା ନାଁରେ କରିନାହାନ୍ତି। ତଥାପି, ୨୦୧୧ ମସିହାରେ ସ୍ୱୟଂ ବିଲ୍ଡର୍ସଙ୍କ ସହ ମିଶି ଜାଲ୍ କାଗଜପତ୍ର ତିଆରି କରାଯାଇଥିଲା ଏବଂ ତାଙ୍କ ଅଜାଣତରେ ଏହି ସମ୍ପତ୍ତିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।