ହଠାତ୍ ମଣିଷୁ ପାଲଟିଲା ରାକ୍ଷାସ ।ପ୍ରଥମେ ବାଟରେ ନିଜ ସ୍ତ୍ରୀକୁ ମାରିଲା, ତା’ପରେ ଘରେ ଆସି ସାନ ଭଉଣୀକୁ ଗୁଳି କରି ହତ୍ୟା କଲା । ଶେଷ ନିଜେ ଆତ୍ମହତ୍ୟା କରି ଜୀବନ ହାରିଲା । ଏହି ପରି ଆଶ୍ଚର୍ଯ୍ୟ କର ଘଟଣା ସମସ୍ତଙ୍କ ୁ ସ୍ତବ୍ଧ କରିଛି । ଏହି ଡବଲ ମର୍ଡର ଓ ଆତ୍ମହତ୍ୟା ଘଟଣାର କାରଣ ବ୍ୟକ୍ତି ଜଣଙ୍କ ସମସ୍ତଙ୍କୁ ନିଜ ହ୍ୱାଟସଆପ୍ ଷ୍ଟାଟସ ମାଧ୍ୟମରେ ଜଣାଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌର ଗୋମତି ନଗର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ଘଟିଛି ଏହି ନିର୍ମମ ହତ୍ୟା । ପତ୍ନୀ ଓ ଭଉଣୀଙ୍କୁ ମାରି ଜୀବନ ହାରିଥିବା ବ୍ୟକ୍ତି ଜଣଙ୍କ ହେଲେ ୩୮ ବର୍ଷୀୟ ମାନସ ବାଜପାଇ। ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କାମ କରୁଥିଲେ । ତାଙ୍କ ପତ୍ନୀ ଦିବ୍ୟା ମିଶ୍ରା ହେଉଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ମ୍ୟାନେଜର। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ଉଭୟ ବେଶ କିଛି ମାସ ହେବ ପରସ୍ପର ଠାରୁ ଅଲଗା ରହୁଥିଲେ।
ଗୁରୁବାର ମଧ୍ୟାହ୍ନ ସମୟରେ ହଠାତ୍ ଦିବ୍ୟାଙ୍କୁ ଫୋନ କରିଥିଲେ ମାନସ। ତାଙ୍କୁ ସେ ବ୍ୟାଙ୍କର ବାହାରକୁ ଆସିବାକୁ କହିଥିଲେ। ଦିବ୍ୟା ମଧ୍ୟ ସ୍ୱାମୀଙ୍କ କଥାରେ ବାହାରକୁ ଆସି ରାସ୍ତା କଡ଼ରେ ତାଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ। କିନ୍ତୁ କିଛି ସମୟ ପରେ ମାନସଙ୍କ ବ୍ୟବହାର ବଦଳି ଯାଇଥିଲା। ସେ ଚିତ୍କାର କରିବା ସହ ନିଜ ପାଖରେ ରଖିଥିବା ବନ୍ଧୁକ କାଢ଼ି ସିଧା ଦିବ୍ୟାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦିବ୍ୟା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ମାନସ ସେଠାରୁ ଚାଲି ଯାଇଥିଲେ। ଏପଟେ ଗୁଳିମାଡ଼ ଶବ୍ଦ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଥିଲେ। ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ସେତେବେଳକୁ ଦିବ୍ୟାଙ୍କ ମୃତ୍ୟୁ ହୋଇ ସାରିଥିଲା।
ଦିବ୍ୟାଙ୍କୁ ଗୁଳି କରିବା ପରେ ମାନସ ଘରକୁ ଆସିଥିଲେ। ଘର ଭିତରେ ପ୍ରବେଶ କରିବା ସହ ତୁରନ୍ତ ଏହାକୁ ବନ୍ଦ କରି ଦେଇଥିଲେ। ଏହାର କିଛି ମିନିଟ ପରେ ଘର ଭିତରୁ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ଶୁଣି ସ୍ଥାନୀୟ ଲୋକ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ମାନସ ଓ ତାଙ୍କ ସାନ ଭଉଣୀ ତୁଳିକା ଗୁଳି ମାଡ଼ରେ ପ୍ରାଣ ହରାଇ ସାରିଥିଲେ। ମାନସ ପ୍ରଥମେ ତୁଳିକାଙ୍କୁ ଗୁଳି କରିଥିଲେ ଓ ଏହାପରେ ସେ ମଧ୍ୟ ଜୀବନ ହାରିଥିବା ପୁଲିସ୍ ଜାଣିବାକୁ ପାଇଛି। ଡବଲ ମର୍ଡର ଓ ଆତ୍ମହତ୍ୟା ଘଟଣାର ଯାଞ୍ଚ ବେଳେ ପୁଲିସ୍ ମାନସଙ୍କ ମୋବାଇଲ ଯାଞ୍ଚ କରିଛି। ଏହି ସମୟରେ ମାନସଙ୍କ ଷ୍ଟାଟସ ସମସ୍ତଙ୍କୁ ଚକିତ କରିଛି। ଏଥିରେ ସେ ଲେଖିଛନ୍ତି ଯେ “ମୁଁ ମୋର ସ୍ତ୍ରୀକୁ ଆଜି ହତ୍ୟା କରିଛି। କାରଣ ସେ ମୋତେ ଧୋକା ଦେଇଥିଲା। ଏବେ ମୁଁ ମୋ ଭଉଣୀକୁ ଓ ନିଜକୁ ମଧ୍ୟ ମାରିବାକୁ ଯାଉଛି।”