ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର
ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଅଭାବ ଯେପରି ଛାତ୍ରଛାତ୍ରୀଙ୍କ ସ୍ୱପ୍ନରେ ବାଧା ନହୁଏ, ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା । ଉଚ୍ଚଶିକ୍ଷାର ସୁଯୋଗକୁ ଆହୁରି ବ୍ୟାପକ କରିବାକୁ ଏହି ପଦକ୍ଷେପ ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି ।

ଏହି ଯୋଜନାରେ QS World University Rankingରେ ଶ୍ରେଷ୍ଠ ୨୦୦ ମଧ୍ୟରେ ଥିବା ବିଦେଶୀ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ Postgraduate ଏବଂ Ph.D. ପାଠ୍ୟକ୍ରମ ପଢ଼ିବାକୁ ଚାହୁଁଥିବା ଯୋଗ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ମିଳିବ । ଆବେଦନ ସମୟରେ ଉପଲବ୍ଧ ସର୍ବଶେଷ QS ରାଙ୍କିଂକୁ ଆଧାର କରି ଶିକ୍ଷାନୁଷ୍ଠାନ ଚୟନ କରାଯିବ । ଏହି ଯୋଜନାରେ ମୋଟ୍ ୫୦ ଜଣ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ତେବେ ଏଥିପାଇଁ ପରିବାରର ବାର୍ଷିକ ଆୟ ସର୍ବାଧିକ ୧୨ ଲକ୍ଷ ଟଙ୍କା ମଧ୍ୟରେ ଥିବା ଆବଶ୍ୟକ ।

ଯୋଗ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷାବର୍ଷ ୨୦୨୫-୨୬ ଏବଂ ୨୦୨୬-୨୭ ପାଇଁ ଓଡ଼ିଶା ସ୍କଲାରସିପ୍ ପୋର୍ଟାଲରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୧୮ ଅଗଷ୍ଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ । ତେଣୁ ବିଦେଶରେ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖୁଥିବା ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍ ଆବେଦନ କରି ଏହି ସୁଯୋଗର ଲାଭ ନେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।