ଜିଲ୍ଲାରେ ଆଇନଶୃଙ୍ଖଳା ଦିନକୁ ଦିନ ଜଟିଳ — ଦିବାଲୋକରେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ

ଫୁଲବାଣୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦିବାଲୋକରେ ଜଣେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ସୁରକ୍ଷା କର୍ମୀ ହେଉଛନ୍ତି ସାଇନପଦରର ହବିଷ ଦିଗାଲ। ସୂଚନା ଅନୁଯାୟୀ, ଗତ ଗୁରୁବାର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗାଡ଼ି ପାର୍କିଂକୁ ନେଇ କିଛି ଯୁବକଙ୍କ ସହ ହବିଷ ଦିଗାଲଙ୍କର ପାଟିତୁଣ୍ଡ ହୋଇଥିଲା।

ଏହି ଘଟଣାକୁ କେନ୍ଦ୍ର କରି ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।ଡ୍ୟୁଟି ସାରି ଫେରୁଥିବା ସମୟରେ ଏଜେଓ ହାଇସ୍କୁଲ ନିକଟରେ କିଛି ଯୁବକ ହବିଷଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା।ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାରେ ଫୁଲବାଣୀ ଗୋପାଳସାହିର ମହମ୍ମଦ ଉଷାମାନ ଏବଂ ଖଜୁରୀପଡ଼ା ସମ୍ବେପଦରର ଜଗନ ସେଠୀଙ୍କ ସମ୍ପୃକ୍ତି ଥିବା ନେଇ ଫୁଲବାଣୀ ଟାଉନ ଥାନା ଅଧିକାରୀ ରିତାମ୍ବରୀ କର ସୂଚନା ଦେଇଛନ୍ତି।ଏନେଇ ଫୁଲବାଣୀ ଟାଉନ ଥାନାରେ କେସ୍ ନମ୍ବର ୨୩୦/୨୦୨୬ରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୮(୨) ଓ ୧୧୭(୨)ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।