୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳାଙ୍କଠାରୁ ଆରମ୍ଭ କରି ବୃଦ୍ଧ, ଭିନ୍ନକ୍ଷମ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗକୁ ନଜରରେ ରଖି ସରକାର ନେଇଛନ୍ତି ଏହି ଘୋଷଣା। ବିଶେଷ କରି ସୁଭଦ୍ରା ଯୋଜନାର ହିତାଧିକାରୀ, ମଧୁବାବୁ ପେନସନ୍ ଯୋଜନା ଓ ନିଯୁକ୍ତିକୁ ନେଇ ରହିଛି ବଡ଼ ଘୋଷଣା। ତବେ ଚାଲନ୍ତୁ ଏହି ଯୋଜନା ମଧ୍ୟରେ କଣ ରହିଛି ଆଉ ଏଥିରେ କାହାକୁ ଫାଇଦା ମିଳିବ? ତେବେ ରାଜ୍ୟର ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ଏହି ଯୋଜନାରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ନେଇ ଘୋଷଣା ହୋଇଛି। ଯୋଜନା ଅନୁସାରେ ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ନିଜ ଆବଶ୍ୟକତା ପୂରଣରେ ସେମାନଙ୍କୁ ଅଧିକ ସକ୍ଷମ କରିବା।

ରାଜ୍ୟର ବୃଦ୍ଧ, ଭିନ୍ନକ୍ଷମ ଓ ଅନ୍ୟ ଯୋଗ୍ୟ ବର୍ଗର ଲୋକଙ୍କ ପାଇଁ ଚାଲିଥିବା ମଧୁବାବୁ ପେନସନ୍ ଯୋଜନାରେ ଆଗାମୀ ଦିନରେ ଆହୁରି ୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି।ଅର୍ଥାତ୍ ଯେଉଁମାନେ ଏପର୍ଯ୍ୟନ୍ତ ଏହି ସାମାଜିକ ସୁରକ୍ଷା ଯୋଜନାରୁ ବାଦ ପଡ଼ିଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାର ପରିସରଭୁକ୍ତ କରିବା ଉପରେ ସରକାର ଫୋକସ୍ କରିଛନ୍ତି।

ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଘୋଷଣା ହୋଇଛି।