ହକି ଖେଳାଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ ଜିଲ୍ଲାରୁ ଭାରତ ପାଇଁ ଖେଳିଥିବା ୪ ପୁରୁଷ ଏବଂ ମହିଳା ହକି ଖେଳାଳୀଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ କରାଯାଇଛି । ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସିଭିକ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଦିତ ହୋଇଛନ୍ତି ।
ଭାରତର ୪ ଗୌରବ ଏହି କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ସେମାନଙ୍କୁ ବ୍ୟାଣ୍ଡ ବାଜା ସହିତ ସ୍ୱାଗତ କରାଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପୂର୍ବତନ ଅଲିମ୍ପିଆନ ଲାଜରୁସ ବାର୍ଲା, ଏବଂ ରାଉରକେଲା ଏସ୍ପି ମୁକେଶ ଭାମୁଙ୍କ ସହିତ ଯୁବ ଗୋଷ୍ଠୀ, କ୍ରୀଡ଼ା ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସ୍ମାର୍ଟ ସିଟି ରାଉରକେଲାରେ ଏଭଳି ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିବାରୁ ୪ ଜଣ ହକି ତାରକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ଲୋକମାନଙ୍କ ଭଲପାଇବାକୁ ଆଧାର କରି ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୪ ଅଲିମ୍ପିଆନଙ୍କ କୋଚ ରାଜୁ ସାଇନି, ବିଜୟ କୁମାର ଲାକ୍ରା, ପ୍ରଦୀପ କୁମାର ଷଡ଼ଙ୍ଗୀ, ସିଲଭେଷ୍ଟର ଟପ୍ପୋଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଷ୍ଟାନଲି ଭିକ୍ଟର ମିଞ୍ଜ, ସିଲାନନ୍ଦ ଲାକ୍ରା, ନିଲମ ସଞ୍ଜୀବ ଖେସ୍, ପଙ୍କଜ କୁମାର ରଜକ, ଜେରମ ଲାକ୍ରା, ରଶ୍ମିତା ମିଞ୍ଜଙ୍କ ସହିତ ରାଉରକେଲାସ୍ଥିତ ବିଭିନ୍ନ କ୍ରୀଡ଼ା ଛାତ୍ରାବାସର କୋଚମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।