କେନ୍ଦୁଝରବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖୁବଶୀଘ୍ର ରାଇସୁଆଁ ଏୟାରଷ୍ଟ୍ରିପ୍ର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯିବ। ଏହାକୁ ଆଗାମୀ ଦିନରେ B-2 ଶ୍ରେଣୀରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଗୋପୀନାଥପୁର ପଞ୍ଚାୟତର ଦୁଇଟି ଗାଁରୁ ମୋଟ ୬୧ ଏକର ୨୩୯ ଡେସିମିଲ ଘରୋଇ ଜମି ଅଧିଗ୍ରହଣ କରାଯିବ। ଏଥିସହ ୨ ଏକର ୪୪୫ ଡେସିମିଲ ସରକାରୀ ଜମି ମଧ୍ୟ ନିଆଯିବାର ଯୋଜନା ରହିଛି।

ସିଲିଶୁଆଁ ଗାଁରୁ ୧ ଏକର ୧୦୧ ଡେସିମିଲ ଜମି ଅଧିଗ୍ରହଣ ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଏଥିରେ ୧୧ ଜଣ ଜମି ମାଲିକଙ୍କ ମତାମତ ନିଆଯାଇଥିବା ବେଳେ, ଜମି ମାଲିକମାନେ ଡେସିମିଲ ପିଛା ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ଆସନ୍ତାକାଲି ଗୋପୀନାଥପୁର ଗାଁରେ ଦ୍ୱିତୀୟ ଗ୍ରାମସଭା ହେବ। ଏଠାରେ ୬୦ ଏକର ୧୩୮ ଡେସିମିଲ ଜମି ଅଧିଗ୍ରହଣ ସମ୍ପର୍କରେ ୮୪ ଜଣ ଜମି ମାଲିକଙ୍କ ମତାମତ ନିଆଯିବ।

ବର୍ତ୍ତମାନ ପ୍ରାୟ ୫ ଏକର ଜମିରେ ନିର୍ମିତ ରାଇସୁଆଁ ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ ଓ ଉନ୍ନତିକରଣ ହେଲେ କେନ୍ଦୁଝରର ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। B-2 ଶ୍ରେଣୀରେ ଏୟାରଷ୍ଟ୍ରିପ୍କୁ ସାମିଲ କରିବା ଦିଗରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ପ୍ରଥମ ପଦକ୍ଷେପ ଭାବେ ନିଆଯାଉଛି।