ଗାଳି କରୁଥିଲେ ହୁଏତ ଯିବେନାହିଁ ଜେଲ୍ କିନ୍ତୁ ଭୋଗିବେ ସଜା !

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଅଶ୍ଲୀଳତା ଓ ଗାଳିଗୁଲଜ କରିବାର ମୈଦାନ ପାଲଟିଛି । ଏଣିକିି କିନ୍ତୁ ଅସଭ୍ୟଙ୍କୁ ବାଜିବ ସୁପ୍ରିମକୋର୍ଟଙ୍କ ଛାଟ । ଯେକୌଣସି ବ୍ୟକ୍ତି ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ୍ କିମ୍ବା ଫେସବୁକ୍‌ରେ ଗାଳିଗୁଲଜ କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୁଏତ ଜେଲ୍ ଯିବେନାହିଁ ତଥାପି ଅନ୍ୟ ଢଙ୍ଗରେ ଦଣ୍ଡ ଦିଆଯିବ । ଝାଡୁ ଧରି ରାସ୍ତା ସଫା କରିବା କିମ୍ବା ଗରିବଙ୍କ ସେବା କରିବାକୁ ହେବ । ସୋସିଆଲ ମିଡିଆରେ ଅସଂଯମତା ଆଚରଣ ପ୍ରକାଶ କରୁଥିବା ଯୁବପିଢିଙ୍କୁ ‘ସାମୁଦାୟିକ ସେବା’ ମାଧ୍ୟମରେ ସୁଧାରିବା ପାଇଁ ଯେଉଁ ଆବେଦନ କରାଯାଇଛି ତାହାକୁ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତିି ପ୍ରକାଶ କରିଛନ୍ତି । ଏହି ବିଷୟ ଏବେ ସାରା ଦେଶରେ ଚର୍ଚ୍ଚା ପାଲଟିଛି ।
ଏହି ସମ୍ପୂର୍ଣ୍ଣ ମାମଲାଟି ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ଜଡିତ । ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ହୋଇଥିବା ସଂସଦ ମାର୍ଚ୍ଚ ସମୟରେ ଅନେକ ଯୁବକ ସୋସିଆଲ ମିଡିଆରେ ଅପମାନଜନକ ଭିଡିଓ ପୋଷ୍ଟ କରିଥିଲେ । ଏନେଇ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ପକ୍ଷରୁ ଏହି ଆବେଦନ ଦାୟର କରାଯାଇଥିଲାଏବଂ ସେଥିରେ ଉଲ୍ଲେଖ ରହିଛି, ଆନ୍ଦୋଳନର ଆୟୋଜକମାନେ ସ୍ୱାର୍ଥହାସଲ ପାଇଁ ଯୁବପିଢିଙ୍କୁ ଉସୁକାଉଛନ୍ତି । ଏହାଦ୍ୱାରା ସେମାନେ ଆଇନ ଜାଲରେ ଫସିଯାଉଛନ୍ତି ।
ଯାଚିକାକର୍ତ୍ତାଙ୍କ ଓକିଲ ଅଦାଲତରେ ଯୁକ୍ତି ବାଢିଛନ୍ତି ଯେ, ସୋସିଆଲ ମିଡିଆରେ ଭୁଲ୍ କରିଥିବା ଯୁବକଙ୍କ ବିରୋଧରେ ୠଓଜ ରୁଜୁ ହେଲେ ସେମାନଙ୍କର ଭବିଷ୍ୟତ କିମ୍ବା କ୍ୟାରିୟର ସବୁଦିନ ପାଇଁ ନଷ୍ଟ ହୋଇଯିବ। ଏଣୁ ସେମାନଙ୍କୁ ଦଣ୍ଡ ସ୍ୱରୂପ ଏକ ସପ୍ତାହ ପାଇଁ ସଫେଇ କାର‌୍ୟ୍ୟ, ବୃଦ୍ଧାଶ୍ରମରେ ସେବା କିମ୍ବା ସାମାଜିକ କଲ୍ୟାଣ କାର‌୍ୟ୍ୟରେ ନିୟୋଜିତ କରାଯାଉ। ଫଳରେ ସେମାନଙ୍କ ଚରିତ୍ର ଗଠନ ହେବା ସହ ସୋସିଆଲ ମିଡିଆର ଅପବ୍ୟବହାର କମିବ ।
ତେବେ ଜଷ୍ଟିସ ସୂର‌୍ୟ୍ୟକାନ୍ତ ଏହି ମାମଲାର ଗମ୍ଭୀରତାକୁ ବୁଝିବା ସହ ସୋସିଆଲ ମିଡିଆର ଅପବ୍ୟବହାର ସାମାଜିକ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମଧ୍ୟ କୁହାଯାଉଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଆସନ୍ତା ବୁଧବାର ଦିନ ଧାର‌୍ୟ୍ୟ କରିଛନ୍ତି । ଯଦି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କୌଣସି ନିର୍ଦ୍ଦେଶ ଦିଅନ୍ତି, ତେବେ ଏହା ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବ ।