କେଏଲ୍ ରାହୁଲଙ୍କ ଶଟ୍‌ରେ ଶ୍ରୀଲଙ୍କା ଫିଲ୍ଡର ଆହତ, ମଇଦାନ ଛାଡ଼ିଲେ ନିଶାନ ମଧୁଶ୍କା

ଗଲ୍‌ରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରେ ଘଟିଲା ଏକ ଅଘଟଣ। କେଏଲ୍‌ ରାହୁଲଙ୍କ ଏକ ଜୋରଦାର ସ୍ୱିପ୍‌ ଶଟ୍‌ ସିଧା ଯାଇ ଶ୍ରୀଲଙ୍କା ଫିଲ୍ଡର ନିଶାନ ମଧୁଶ୍କାଙ୍କ ହେଲମେଟ୍‌ରେ ବାଜିଥିଲା। ଘଟଣା ପରେ ତୁରନ୍ତ ଖେଳ ବନ୍ଦ କରାଯାଇ ମଧୁଶ୍କାଙ୍କ ଅବସ୍ଥା ଯାଞ୍ଚ କରାଯାଇଥିଲା।

Image

ଘଟଣାଟି ପ୍ରଭାତ ଜୟସୂର୍ଯ୍ୟାଙ୍କ ଓଭରର ଶେଷ ବଲ୍‌ରେ ଘଟିଥିଲା। ରାହୁଲ୍‌ ଏକ ସ୍ୱିପ୍‌ ଶଟ୍‌ ଖେଳିଥିବା ବେଳେ ଶର୍ଟ ଲେଗ୍‌ରେ ଫିଲ୍ଡିଂ କରୁଥିବା ମଧୁଶ୍କା ବଲ୍‌ର ସିଧା ଲାଇନ୍‌ରେ ଥିଲେ। ସେ ମୁଣ୍ଡ ନୁଆଁଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ୍‌ଟି ତାଙ୍କ ହେଲମେଟ୍‌ର ମଝି ଭାଗରେ ବାଜିଥିଲା।

Image

ବଲ୍‌ଟି ଲାଗିବା ପରେ ମଧୁଶ୍କା ଅସୁବିଧାରେ ପଡ଼ିଥିବା ଦେଖାଯାଇଥିଲା। ତୁରନ୍ତ ଶ୍ରୀଲଙ୍କା ଟିମ୍‌ର ଫିଜିଓ ମଇଦାନକୁ ଆସି ତାଙ୍କର ଯାଞ୍ଚ କରିଥିଲେ। ପରେ ତାଙ୍କୁ ଅଧିକ ଯାଞ୍ଚ ଓ ଚିକିତ୍ସା ପାଇଁ ମଇଦାନରୁ ବାହାରକୁ ନିଆଯାଇଥିଲା। ଏପର୍ଯ୍ୟନ୍ତ ତାଙ୍କ ଅବସ୍ଥା ନେଇ ଶ୍ରୀଲଙ୍କା କ୍ରିକେଟ୍‌ ପକ୍ଷରୁ ସ୍ପଷ୍ଟ ଅପଡେଟ୍‌ ଆସିନାହିଁ। ଏହି ଘଟଣା ପରେ କେଏଲ୍‌ ରାହୁଲ୍‌ ମଧ୍ୟ ତୁରନ୍ତ ମଧୁଶ୍କାଙ୍କ ପାଖକୁ ଯାଇ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ରାହୁଲଙ୍କ ଏହି ବ୍ୟବହାର ଖେଳାଳିଙ୍କ ମଧ୍ୟରେ ଥିବା କ୍ରୀଡ଼ାସୁଲଭ ମନୋଭାବକୁ ଦର୍ଶାଇଥିଲା।

ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ପାଇଁ ମଧ୍ୟ ବିଶେଷ। ଗଲ୍‌ ଟେଷ୍ଟ ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍‌। ଏହାସହ ଅଗଷ୍ଟ ୧୫, ସ୍ୱାଧୀନତା ଦିବସରେ ଏହି ଐତିହାସିକ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ।