ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳିଲେ ପ୍ରଧାନ ଶିକ୍ଷକ

ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳିଲେ ପ୍ରଧାନ ଶିକ୍ଷକ। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଭାବକ ଓ ଗ୍ରାମବାସୀଙ୍କ ଅସନ୍ତୋଷ ଏବଂ ଲଗାତାର ଦୁଇ ଦିନ ଧରି ସ୍କୁଲ ଫାଟକ ସମ୍ମୁଖରେ ଧାରଣା ପରେ ଶେଷରେ ପଦକ୍ଷେପ ନେଇଛି ଶିକ୍ଷା ବିଭାଗ। ଅଭିଭାବକମାନଙ୍କ ଦାବି ଥିଲା, ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ସହ ପ୍ରଧାନ ଶିକ୍ଷକଙ୍କୁ ବଦଳି କରାଯାଉ। ଦୁଇ ଦିନ ଧରି ଆନ୍ଦୋଳନ ଚାଲିବା ପରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ବୋଡ଼ିଗାଁ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

କୋରାପୁଟ ଜିଲ୍ଲାପାଳଙ୍କ ୦୯.୦୯.୨୦୨୬ ତାରିଖର ଆଦେଶ ଅନୁଯାୟୀ, ବୋଡ଼ିଗାଁ ସରକାରୀ ୟୁଜି ହାଇସ୍କୁଲର ବରିଷ୍ଠ ଏସ୍‌ଇଏସ୍‌ ହେଡମାଷ୍ଟର ଶ୍ରୀ ଜି. ସନ୍ତୋଷ କୁମାରଙ୍କୁ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲ, କୋଲାବ ନଗରକୁ ବଦଳି କରାଯାଇଛି। ସେହିପରି ୧୦.୦୯.୨୦୨୬ ତାରିଖ ଅପରାହ୍ନରେ ତାଙ୍କୁ ବୋଡ଼ିଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରୁ ଅବ୍ୟାହତ କରାଯାଇଥିବା ନେଇ ଆଦେଶପତ୍ରରୁ ଜଣାପଡ଼ିଛି। ତାଙ୍କ ସ୍ଥାନରେ ବୋଡ଼ିଗାଁ ବିଦ୍ୟାଳୟର TGT ଶିକ୍ଷକ ରାଜେଶ କୁମାର ମଣ୍ଡଳଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି।

ପ୍ରଧାନ ଶିକ୍ଷକଙ୍କ ବଦଳି ପରେ ବିଦ୍ୟାଳୟରେ ପରିଚାଳନା ବ୍ୟବସ୍ଥା ସୁଧୁରିବା ସହ ଛାତ୍ରଛାତ୍ରୀଙ୍କୁ ଉଚିତ ଓ ଗୁଣାତ୍ମକ ଶିକ୍ଷା ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ।