ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌; ଭାରତ ୫-୪ରେ ବିଜୟୀ

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଲାଗି ବେଲ୍‌ଜିୟମ୍‌ ଗସ୍ତରେ ଥିବା ଭାରତୀୟ ପୁରୁଷ ଦଳ ମିଶ୍ର ସଫଳତା ସହ ଅଭିଯାନ ଶେଷ କରିଛି। ଘରୋଇ ଦଳ ବିପକ୍ଷ ଦୁଇ ମ୍ୟାଚ୍‌ରେ ହାରିଥିବା ଭାରତ, ଆର୍ଜେଣ୍ଟିନା ବିପକ୍ଷରେ ଦୁଇଟି ଯାକ ଜିତି ନେଇଛି। ଫଳରେ ୨୦୨୩-୨୪ ପ୍ରୋ-ଲିଗ୍‌ ଋତୁରେ ଭାରତ ଏପର୍ଯ୍ୟନ୍ତ ୧୨ ମ୍ୟାଚ୍‌ ଖେଳି ୨୧ ପଏଣ୍ଟ ସହ ନେଦରଲାଣ୍ଡ୍‌ସ (୨୬) ତଳକୁ ଦ୍ବିତୀୟ ସ୍ଥାନରେ ରହିଛି। ଏବେ ଦଳ ଜର୍ମାନି ଓ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ଲାଗି ଇଂଲଣ୍ଡ ଗସ୍ତ କରିବ। ସେଠାରେ ଜୁନ୍‌ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଉଭୟ ଦଳ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳି ଚଳିତ ଋତୁ‌ ଶେଷ କରିବ। ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ସୁଟ୍‌ଆଉଟ୍‌ରେ ଜିତିଥିବା ଭାରତ ରବିବାର ରାତିରେ ଅନ୍ତ୍ବର୍ପରେ ଖେଳାଯାଇଥିବା ମ୍ୟାଚ୍‌ରେ ହର୍ମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍‌ ବଳରେ ୫-୪ ଗୋଲ୍‌ରେ ବିଜୟୀ ହୋଇଥିଲା। ତୃତୀୟ ମିନିଟ୍‌ରେ ଫେଡେରିକୋ ମୋଞ୍ଜାଙ୍କ ଗୋଲ୍‌ରେ ଆର୍ଜେଣ୍ଟିନା ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲା।

ଏହାପରେ ଅରାଇଜିତ ସିଂହ ହୁଣ୍ଡାଲ (୭ ମିନିଟ୍‌) ଓ ଗୁରଜାଣ୍ଟ ସିଂହ (୧୮ ମିନିଟ୍‌) ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ଆଗୁଆ କରିଥିଲେ। ୨୪ତମ ମିନିଟ୍‌ରେ ଆର୍ଜେଣ୍ଟିନାର ନିକୋଲାସ କୀନାନ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍ଥିତି ବରାବର କରିଥିଲେ। ତେବେ ୨୯ତମ ମିନିଟ୍‌ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ ଗୋଲ୍‌ ଦେଇ ପ୍ରଥମାର୍ଦ୍ଧରେ ଦଳକୁ ୩-୨ରେ ଆଗରେ ରଖିଥିଲେ। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଶେଷ କ୍ବାର୍ଟରରେ ଭାରତକୁ ମିଳିଥିବା ଦୁଇଟି ପେନାଲ୍ଟି ଷ୍ଟ୍ରୋକ୍‌କୁ ହର୍ମନ୍‌ପ୍ରୀତ ଗୋଲ୍‌ରେ ପରିଣତ କରି ହ୍ୟାଟ୍ରିକ୍‌ ସଫଳତା ପାଇବା ସହ ଭାରତକୁ ୫-୨ର ବଡ଼ ଅଗ୍ରଣୀ ଦେଇଥିଲେ। ଏହା ପରେ ତାଡିଓ ମାର୍କୁସି (୫୪ ମିନିଟ୍‌) ଓ ଲୁକାସ ମାର୍ଟିନେଜ (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝିବାରୁ ଆର୍ଜେଣ୍ଟିନାର ପରାଜୟ ବ୍ୟବଧାନ କମିଥିଲା।