ରବିବାର ରାୟପୁରରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଆଇପିଏଲ୍ ୨୦୨୬ ର ୫୪ତମ ମ୍ୟାଚରେ ଶେଷ ବଲ୍ ପର୍ଯ୍ୟନ୍ତ ଜୋରଦାର ଆକ୍ସନ ଦେଖିବାକୁ ମିଳିଥିଲା। ତେବେ ମ୍ୟାଚ୍ ଚାଲିଥିବା ସମୟରେ ଆରସିବିର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ ଭାବପ୍ରବଣ ହୋଇ ଏପରି ଏକ କାମ କରିଥିଲେ, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

କମ୍ ସ୍କୋର ବିଶିଷ୍ଟ ଏହି ମ୍ୟାଚ୍ କେତେବେଳେ ମୁମ୍ବାଇ ଆଡକୁ ତ କେତେବେଳେ ବେଙ୍ଗାଲୁରୁ ଆଡକୁ ଢଳୁଥିଲା। ଏହି ସମୟରେ ଛୋଟ ଛୋଟ ଘଟଣାରେ ମଧ୍ୟ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଥିଲା। ଏହି ସମୟରେ କୌଣସି ଏକ କଥାକୁ ନେଇ ବେଙ୍ଗାଲୁରୁର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ ଅତ୍ୟନ୍ତ କ୍ରୋଧିତ ଥିବା ଦେଖାଯାଇଥିଲେ। ବାଉଣ୍ଡ୍ରି ପାଖରେ ଛିଡା ହୋଇ ଡେଭିଡ୍ ଦୁଇ ହାତ ଉପରକୁ ଉଠାଇ ଆଙ୍ଗୁଠି ଦେଖାଇ ଏକ ଅଶ୍ଳୀଳ ଇସାରା କରିଥିଲେ। ତେବେ ଟିମ୍ ଡେଭିଡ୍ କାହିଁକି ଏପରି କଲେ, ତାହାର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ କିନ୍ତୁ ଏହାର ଭିଡିଓ ଭାଇରାଲ୍ ହୋଇଛି । ଟିମ୍ ଡେଭିଡ୍ ନିଜର ଏହି କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏବଂ ଏବେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି । ବିସିସିଆଇ ଡେଭିଡ୍ଙ୍କୁ ଆଇପିଏଲ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି। ଯାହା ପଡ଼ିଆରେ ଅଶ୍ଳୀଳ ଇସାରା କରିବା ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ଜଡ଼ିତ। ଏଥିପାଇଁ ଟିମ୍ ଡେଭିଡ୍ଙ୍କ ଉପରେ ମ୍ୟାଚ୍ ଫି’ର ୩୦ ପ୍ରତିଶତ ଜରିମାନା ଲଗାଯାଇଛି।