ପାରାଦୀପ ଢ଼ିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ଜିନ୍ଦଲ ପୋସ୍କ ପ୍ରତିରୋଧ ସଂଗ୍ରାମ ସମିତି, ଢ଼ିଙ୍କିଆ ଚାରିଦେଶ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ତତ୍ତ୍ୱାବଧାନରେ ଗତ ୬ ତାରିଖରୁ ଢ଼ିଙ୍କିଆ ଫୁଲଖାଇ ଠାରୁ ରାଜଭବନ ଅଭିମୁଖେ ବାହାରିଥିବା ପ୍ରତିବାଦ ପଦଯାତ୍ରୀ ମାନଙ୍କୁ ସ୍ବାଗତ କରାଯାଇଛି। କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ଗଡମା ବଜାର ଠାରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରାମଚନ୍ଦ୍ର ଗୋଛୟତଙ୍କ ନେତୃତ୍ଵରେ ଆଜି ସୋମବାର ପୂର୍ବାହ୍ନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।
‘ଆମର ଦାବି ଜିନ୍ଦଲ ତୁମେ ଫେରିଯାଅ’ ନାରା ସହ ପ୍ଲାଗକାର୍ଡ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଡହଡହ ଖରାରେ ଯାଉଥିବା ପଦଯାତ୍ରୀ ଦଳଙ୍କୁ କଟକ ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଡମା ଠାରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା, ନିଶ୍ଚିନ୍ତକୋଇଲି ବ୍ଲକ ସଭାପତି ନାରାୟଣ ଦ୍ୱିବେଦୀ, ଦିଲ୍ଲିପ ମହାନ୍ତି,ମାନସ ପରିଡ଼ା, ଶେଖ୍ ସଦ୍ଦାମ, ବୈକୁଣ୍ଠନାଥ ମଲ୍ଲିକ, ପିତାମ୍ବର ପ୍ରଧାନ, ସୟଦ୍ ସରୱର ଅଲ୍ଲୀ, କୁଞ୍ଜବିହାରୀ ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।