ଏସସିବି ମେଡିକାଲ୍ ଅଗ୍ନିକାଣ୍ଡ ଘଟଣା: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ

କଟକ: କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଟ୍ରମା କେଆର୍ ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାକୁ ନେଇ ସମଗ୍ର ଦେଶରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉଭୟେ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ଏହି ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।

ଏହି ଅଗ୍ନିକାଣ୍ଡ ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଗଠନ କରିଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଏହି ଟିମ୍ ଗଠିତ ହୋଇଛି। ଟିମ୍‌ରେ ଅଗ୍ନିଶମ ବିଭାଗର ଆଇଜି, ଇଞ୍ଜିନିୟର-ଇନ-ଚିଫ୍, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି, ଚିଫ୍ ଇଞ୍ଜିନିୟର ବିଲ୍ଡିଂ ଓ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ଏସସିବି ମେଡିକାଲ୍ ପରିଦର୍ଶନ କରି ଘଟଣାସ୍ଥଳର ସମସ୍ତ ତଥ୍ୟ ଯାଞ୍ଚ କରିବ। ପରେ ସଂଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ଏନେଇ ତାଙ୍କର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।