କମିଶନରେଟ୍ ପୋଲିସରେ ଚର୍ଚ୍ଚାରେ ଥାନା ବାବୁଙ୍କ ପ୍ରେମ କାହାଣୀ

କମିଶନରେଟ୍ ପୋଲିସରେ ଏବେ ଚର୍ଚ୍ଚାରେ ଜଣେ ଥାନା ବାବୁଙ୍କ ପ୍ରେମ କାହାଣୀ। ନିଜ ସ୍ତ୍ରୀଙ୍କୁ ଚାଟିଂ କରୁଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କୁ ‘ଆଇ ଲଭ୍ ୟୁ’ମେସେଜ୍ ପଠାଇଥିବା ଅଭିଯୋଗ। ଯୁବତୀ ଏହାକୁ ବିରୋଧ କରିବା ପରେ ଘଟଣାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୂଚନା ଅନୁସାରେ, ସହରର ଏକ VIP ଅଞ୍ଚଳରେ ଥିବା ଥାନାର ଜଣେ ଅଧିକାରୀଙ୍କ ଚାଟିଂକୁ ନେଇ ଏହି ଘଟଣା ଚର୍ଚ୍ଚାକୁ ଆସିଛି। ଅଭିଯୋଗ ହେଉଛି, ସ୍ତ୍ରୀଙ୍କ ସହ ଚାଟିଂ କରିବା ସମୟରେ ଭୁଲବଶତଃ ଅନ୍ୟ ଜଣେ ଯୁବତୀଙ୍କୁ ‘ଆଇ ଲଭ୍ ୟୁ’ ଲେଖି ପଠାଇଥିଲେ ଅଧିକାରୀ। ଯୁବତୀ ପ୍ରତିବାଦ କରିବା ପରେ ଏହା ଖୁସିରେ ଲେଖାଯାଇଥିଲା ବୋଲି ଅଧିକାରୀ କହିଥିବା ଜଣାପଡ଼ିଛି। ପରେ ଘଟଣାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଦେଇ ଆପୋସ ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ମଧ୍ୟ ଅଧିକାରୀଙ୍କୁ ନେଇ ଅନ୍ୟ ଏକ ଘଟଣା ଚର୍ଚ୍ଚାରେ ଥିବା ଦାବି ହେଉଛି। ଏବେ ଏହି ଚାଟିଂ ଓ ଦୁଇ ଲକ୍ଷ ଟଙ୍କାର ଆପୋସ ବୁଝାମଣା ଘଟଣା କମିଶନରେଟ୍ ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।