ସରକାରୀ ବିଦେଶୀ ମଦ ଦୋକାନରେ ସ୍ଥାନୀୟ କିଛି ଯୁବକଙ୍କ ଗଣ୍ଡଗୋଳ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା କଂସବାହାଲ ଫାଣ୍ଡି ଅଧୀନରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପିବନ୍ଦ ସରକାରୀ ବିଦେଶୀ ମଦ ଦୋକାନରେ ସ୍ଥାନୀୟ କିଛି ଯୁବକ ଗଣ୍ଡଗୋଳ କରିଥିଲେ। ଏ ନେଇ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ସୂଚନା ମୁତାବକ, କେତେକ ଯୁବକ ରବିବାର ରାତିରେ ଉକ୍ତ ମଦ ଦୋକାନକୁ ଆସିଥିଲେ। ତେବେ ମଦ କିଣିବାକୁ ନେଇ ଦୋକାନର କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଯୁବକମାନେ ଦୋକାନର କର୍ମଚାରୀଙ୍କୁ ଗାଳିଗୁଲଜ କରି ନକଲି ମଦ ବିକୁଛ କହି ଦୋକାନର ସଟ୍‌ର ବାହାର ପଟୁ ବନ୍ଦ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ପରେ କାଂସବାହାଲ ଫାଣ୍ଡି ପୁଲିସ୍ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା ପରେ ମାମଲା ଶାନ୍ତ ପିଡ଼ିଥିଲା। ରବିବାର ରାତିରେ ଘଟିଥିବା ଘଟଣା ପରେ ସୋମ‌ବାର ପୁନର୍ବାର ସେହି ଯୁବକମାନେ ମଦ ଦୋକାନ କର୍ମ ଚାରୀ ସହ ପୁଣି ଥରେ ଗଣ୍ଡଗୋଳ କରିଥିଲେ। ଏ ନେଇ ମଦ ଦୋକାନ କର୍ମଚାରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଯାଞ୍ଚ କରି ଗଣ୍ଡଗୋଳର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମଦ ଦୋକାନୀ କହିଛତି, ଯୁବକମାନେ ଟଙ୍କା ନ ଦେଇ ମଦ ମାଗୁଥିଲେ।