ଗଣପର୍ବ ନୁଆଁଖାଇ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ପଶ୍ଚିମ ଓଡ଼ିଶାର କୃଷି-ଭିତ୍ତିକ ଗଣପର୍ବ ‘ନୂଆଖାଇ’ ଅବସରରେ ଦେଶବାସୀ, ବିଶେଷକରି ଓଡ଼ିଶାର ଲୋକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଫସଲର ପ୍ରଥମ ଅମଳକୁ ଇଷ୍ଟଦେବତାଙ୍କ ନିକଟରେ ଅର୍ପଣ କରିବାର ପର୍ବ ‘ନୂଆଖାଇ’ର ପଶ୍ଚିମ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି । ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଏହା ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି।

ଏହି ଅବସରରେ ଏକ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ନୂଆଖାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ। ଏହା ସାମାଜିକ ଓ ପାରିବାରିକ ବନ୍ଧନର ମଧ୍ୟ ଏକ ପ୍ରତୀକ, ଯାହା ସାମୂହିକ ଭୋଜି ଏବଂ ବନ୍ଧୁବାନ୍ଧବଙ୍କ ମିଳନ ମାଧ୍ୟମରେ ପ୍ରକାଶ ପାଇଥାଏ। “ମୁଁ ବିଶ୍ୱାସ କରେ ଯେ ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସଦ୍ଭାବ ଓ ଏକତା ଆହୁରି ସୁଦୃଢ଼ ​​ହେବ,” ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ନୂଆଖାଇର ଏହି ଶୁଭ ଅବସରରେ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ସେ ନିଜ ବାର୍ତ୍ତା ଶେଷ କରିଥିଲେ।