କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଶନିବାର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।
ସକାଳ ୭ଟା ୩୦ ମିନିଟରେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ କୋଠାବାଡ଼ିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ସକାଳ ୯ଟା ୧୫ ମିନିଟରେ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସକାଳ ୯ଟା ୩୦ ମିନିଟରେ ପ୍ୟାରେଡ ସହ ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଦ୍ୟାର୍ଥୀ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ସକାଳ ୧୦ଟାରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭବନରେ ରକ୍ତଦାନ ଶିବିର ଉଦ୍ଘାଟନ କରାଯାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜେନେରାଲ ୱାର୍ଡ ଓ ଶିଶୁ ୱାର୍ଡ, ଜିଲ୍ଲା କାରାଗାର, ରେଡକ୍ରସ ଦିବ୍ୟାଙ୍ଗ ଅନୁଷ୍ଠାନ, ନେହେରୁ ସେବା ସଂଘ ଶିଶୁଯତ୍ନ ଅନୁଷ୍ଠାନ ଏବଂ ପର୍ଯ୍ୟବେକ୍ଷଣ ସ୍ୱତନ୍ତ୍ର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ସନ୍ଧ୍ୟା ୫ଟାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ ସହ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ଲୋକ ସମ୍ପର୍କ ବିଭାଗ, କଳାହାଣ୍ଡି, ଭବାନିପାଟଣା ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ସଚିନ ପ୍ରକାଶ, ଭା.ପ୍ର.ସେ.,ଙ୍କ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।