ଚାନ୍ଦା ମାଗିଲେ ମିଳିବ ଦଣ୍ଡ

( ମମତା ସାମଲ): ଆରମ୍ଭ ହେଲା ପାର୍ବଣ ଋତୁ। ଏଥିପାଇଁ ଉତ୍ସବ ମୁଖର ହେବ ସମଗ୍ର ପରିବେଶ। ଏହି ପାର୍ବଣ ଋତୁରେ ପୂଜା ଆୟୋଜନ ନାଁରେ ଅନେକ ଅସାମାଜିକ ଲୋକ ଓ ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟରେ ଚାନ୍ଦା ମାଗନ୍ତି। ଚାନ୍ଦାକୁ ନେଇ ଅନେକ ସମୟରେ ସଂଘର୍ଷ ମଧ୍ୟ ହୋଇଥାଏ। ଯାହାଫଳରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ସମସ୍ତ ଥାନାର ଆଇଆଇସିମାନଙ୍କୁ ରାଜ୍ୟ ପୁଲିସର ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି ।

ପୁଲିସ ଜାରି କରିଛି ନିର୍ଦ୍ଦେଶନାମା।ପୂଜାକୁ ଲକ୍ଷ୍ୟକରି ରାଜ୍ୟ ଓ ଜାତୀୟ ରାଜପଥରେ ବସ୍ ଏବଂ ବିଭିନ୍ନ ଗାଡ଼ିକୁ ଅଟକାଇ ଚାନ୍ଦା ଆଦାୟ କରାଯାଇଥାଏ। ଏହା ଦ୍ୱାରା ଅଯଥାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଏଭଳି କାର୍ୟ୍ୟକଳାପରେ ସମ୍ପୃକ୍ତ ରହିବେ, ସେମାନଙ୍କ ବିରୋଧରେ ନିମ୍ନପ୍ରଦତ୍ତ ଧାରା ଅନୁଯାୟୀ ହେବ କାର୍ୟ୍ୟାନୁଷ୍ଠାନ।

ଆଇପିସିର ଧାରା ୩୮୪ (ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୩ ବର୍ଷ ଜେଲ୍)
ଆଇପିସିର ଧାରା ୩୮୬ (ମୃତ୍ୟୁ ବା ଆଘାତର ଭୟ ଦେଖାଇ ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍)
ଆଇପିସିର ଧାରା ୩୮୭ (ବଳପୂର୍ବକ ଅର୍ଥ ଆଦାୟ ବା ଉଦ୍ୟମ କରିବା ବେଳେ ମୃତ୍ୟୁ ବା ଆଘାତର ଭୟ ଦେଖାଇଲେ ସର୍ବାଧିକ ଦଣ୍ଡ ୭ ବର୍ଷ ଜେଲ୍)
ଆଇପିସିର ଧାରା ୩୯୨(ଲୁଣ୍ଠନ କଲେ ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍ ଓ ରାଜପଥରେ ସୂର୍ୟ୍ୟାସ୍ତରୁ ସୂର୍ୟ୍ୟ ଉଦୟ ଭିତରେ ଲୁଣ୍ଠନ ହୋଇଥିଲେ ସର୍ବାଧିକ ୧୪ ବର୍ଷ ଜେଲ୍)
ଆଇପିସିର ଧାରା ୩୯୪ (ଆଘାତ ଦେଇ ଲୁଟ୍ କରିବା ବା ଲୁଟ୍ ଉଦ୍ଦେଶ୍ୟରେ ଆଘାତ ଦେଲେ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ)
ଆଇପିସିର ଧାରା ୩୯୫ (ଡକାୟତି କଲେ ସର୍ବାଧିକ ଆଜୀବନ କାରାଦଣ୍ଡ)
ଏହି ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଥାନାର ଆଇଆଇସିମାନଙ୍କୁ ରାଜ୍ୟ ପୁଲିସର ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।