(ମମତା ସାମଲ): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପୁଲିସ ଡାକରା । ଆଜି ପୁରୀ ପୋଲିସ ସମ୍ମୁଖରେ ହାଜର ହୋଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୁରୀ ସଦର ଥାନାରେ ହାଜର ହେଲେ ଇମ୍ପା ଅଧିକାରୀ । ଇମ୍ପାର ଏହି ଅଧିକାରୀଙ୍କୁ ପୁଲିସ ହେଲିକପ୍ଟର ଉଡାଣ ଓ ଏନେଇ ପୂର୍ବ ଅନୁମତି ସଂପର୍କରେ ପଚରାଉଚରା କରିବ । ତେବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାଜିରା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ଏହା ସହିତ ବୈଜୟନ୍ତଙ୍କ ୨ଜଣ ବନ୍ଧୁଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ ।
ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା ଏବଂ ୧୫ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅନୁମତି ମିଳିଥିବା ଜଣାପଡିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍ କରାଯାଇଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍ ବକ୍ସରୁ ଜଣାପଡିବ । ତେଣୁ ଏନେଇ ଡିଜିସିଏ ଠାରୁ ତଥ୍ୟ ମଗାଯାଇଛି ।
ସେପଟେ, ଉଡାଣକୁ ନେଇ ବଢୁଥିବା ବିବାଦ ଭିତରେ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନିଜର ମତ ରଖିଛନ୍ତି । ପୂର୍ବତନ ସାଂସଦ ଟ୍ୱିଟ କରିଛନ୍ତି ଏପରି କରିବା ଅପରିପକ୍ୱତା ଥିଲା । ସେ ହୁଏତ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥାଇପାରନ୍ତି ଏବଂ ସମ୍ଭବତଃ କିଛି ଲୋକ ଏହାର ଯେଉଁ ନିଷ୍କର୍ସ ବାହାର କଲେ, ତାଙ୍କର ଅର୍ଥ ବା ଅଭିପ୍ରାୟ ଏହାର ବିପରୀତ ଥିଲା କିନ୍ତୁ, ଧାର୍ମିକ ଓ ସାଂସ୍କୃତିକ ଭାବନା ସହ ବ୍ୟଙ୍ଗ କରିବା ଠିକ୍ ହୋଇ ନଥିଲା । ଯାହାକୁ ସମ୍ଭେଦନଶୀଳ ବିଚାର କରାଯାଏ । ମୁଁ ଆମ ପରମ୍ପରା ସଂସ୍କୃତିକୁ ନେଇ ଗର୍ବ କରେ ବୋଲି ମତ ରଖିଛନ୍ତି ବୈଜୟନ୍ତ ପଣ୍ଡା ।