କଲମ୍ବିଆରେ ଏକ ବଡ଼ ଦୁର୍ଘଟଣା। ନାରିନୋ ପ୍ରଦେଶର ଏକ ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଖୋଲା ସୁନାଖଣି ଧସିପଡ଼ିବାରୁ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ନାରିନୋ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସାଣ୍ଟା ବାର୍ବାରା ଡି ଏସ୍କୁଆଣ୍ଡେ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଞ୍ଚଳଟି ବର୍ଷାଜଳ ଘେରରେ ରହିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। କେବଳ ଡଙ୍ଗା କିମ୍ବା ଛୋଟ ବିମାନ ଯୋଗେ ସେଠାରେ ପହଞ୍ଚିବା ସମ୍ଭବ ହୋଇଥିଲା। ତେବେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଶେଷ ହୋଇଛି।
ଗତ ତିନି ମାସ ମଧ୍ୟରେ କଲମ୍ବିଆର ସୁନାଖଣିରେ ଘଟିଥିବା ଦୁଇଟି ବଡ଼ ଦୁର୍ଘଟଣାରେ ମୋଟ ୨୭ ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ବେଆଇନ ଖଣିରେ ଶ୍ରମିକଙ୍କ ସୁରକ୍ଷା ଏବଂ ଖଣି କାର୍ଯ୍ୟ ଉପରେ ନିୟନ୍ତ୍ରଣକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ନାରିନୋର ରାଜ୍ୟପାଳ ଲୁଇସ୍ ଆଲଫୋନ୍ସୋ ଏସ୍କୋବାର ଶୋକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, କଲମ୍ବିଆରେ ଶହ ଶହ ଛୋଟ ଖଣି ବିନା ସରକାରୀ ଅନୁମତିରେ ଚାଲୁଛି। ଏଥିମଧ୍ୟରୁ ଅନେକ ଖଣି ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ଥିବା ରିପୋର୍ଟରେ କୁହାଯାଇଛି। ନାରିନୋ ଅଞ୍ଚଳରେ ସକ୍ରିୟ ଥିବା ଗୋଷ୍ଠୀଗୁଡ଼ିକ ମଧ୍ୟରେ କଲମ୍ବିଆର ବିପ୍ଳବୀ ସଶସ୍ତ୍ର ବାହିନୀ (FARC)ର ପୂର୍ବତନ ସଦସ୍ୟଙ୍କ ନେତୃତ୍ୱାଧୀନ ଜାକୋବୋ ଆରେନାସ୍ ବ୍ଲକ୍ ମଧ୍ୟ ରହିଛି। ଏହି ଗୋଷ୍ଠୀ ୨୦୧୬ରେ କଲମ୍ବିଆ ସରକାରଙ୍କ ସହ ହୋଇଥିବା ଶାନ୍ତି ଚୁକ୍ତିରେ ସାମିଲ ହେବାକୁ ମନା କରିଥିଲା।
ଅନ୍ୟପକ୍ଷରେ, କଲମ୍ବିଆର ଲୋକପାଳ କାର୍ଯ୍ୟାଳୟ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ମାନବିକ ସହାୟତା ପହଞ୍ଚାଇବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛି। ଜୀବନ ରକ୍ଷା ଓ ଜରୁରୀ ପରିସ୍ଥିତିର ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ କୁହାଯାଇଛି।