ଛାତ୍ର ସଂସଦ ନିର୍ବାଚନ: ୩୩୨ ଶିକ୍ଷାନୁଷ୍ଠାନରେ ଚାଲିଛି ମତଦାନ

୬,୬୯୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଜି ମତଦାନ ଚାଲିଛି। ସକାଳ ୧୧ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟର ୩୨୦ଟି କଲେଜ ଓ ୧୨ଟି ବିଶ୍ୱବିଦ୍ୟାଳୟକୁ ମିଶାଇ ମୋଟ ୩୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଭୋଟିଂ ଚାଲିଛି।

ଏହି ନିର୍ବାଚନରେ ମୋଟ ୬,୬୯୬ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେଥିମଧ୍ୟରୁ କଲେଜରେ ୬,୩୫୮ ଜଣ ଏବଂ ବିଶ୍ୱବିଦ୍ୟାଳୟରେ ୩୩୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମିଳିଥିବା ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଧରଣୀଧର ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟରେ ୬୦ ପ୍ରତିଶତ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ୫୮ ପ୍ରତିଶତ ଭୋଟିଂ ହୋଇଛି। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୫୧ ପ୍ରତିଶତ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟରେ ସକାଳ ୧୧ଟା ସୁଦ୍ଧା ୭୦୦ ଜଣ ଛାତ୍ରୀ ମତଦାନ କରିଥିବା ବେଳେ ଭୋଟ୍‌ ପ୍ରତିଶତ ୧୪ ରହିଛି। ସେହିପରି ଏକାମ୍ର କଲେଜରେ ୩୭୦ ଜଣ ଛାତ୍ରଛାତ୍ରୀ ଭୋଟ୍‌ ଦେଇଥିବା ବେଳେ ମତଦାନ ହାର ୨୩.୨୭ ପ୍ରତିଶତ ରହିଛି।

ବିଭିନ୍ନ କ୍ୟାମ୍ପସ୍‌ରେ ମତଦାନ ଜାରି ରହିଥିବାରୁ ଆଗାମୀ ସମୟରେ ଭୋଟ୍‌ ପ୍ରତିଶତ ଆହୁରି ବଢ଼ିବା ଆଶା କରାଯାଉଛି।