ବାଂଲାଦେଶର ପୂର୍ବତନ ବାୟୁସେନା ମୁଖ୍ୟ ଗିରଫ

ବାଂଲାଦେଶର ପୂର୍ବତନ ବାୟୁସେନା ମୁଖ୍ୟ ଶେଖ ଅବଦୁଲ ହାନ୍ନାନଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦୁର୍ନୀତି ଅଭିଯୋଗରେ କତରରେ ଗିରଫ କରାଯାଇଛି। ଏସିସି ପକ୍ଷରୁ କୁହାଯାଇଛି ଯେ ଅବସରପ୍ରାପ୍ତ ବାୟୁସେନାର ଚିଫ ମାର୍ଶଲ ଅବଦୁଲ ନିଜ ଆୟ ଠାରୁ ଅଧିକ ୩.୨୮ କୋଟି ବାଂଲାଦେଶ ଟାକା ଠୁଳ କରିଥିଲେ। ତାଙ୍କର ୬ଟି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ୨୭.୬୩ କୋଟିର ନେଣଦେଣ ମଧ୍ୟ ସନ୍ଦେହ ଘେରରେ ରହିଛି।

ଆୟବହିର୍ଭୂତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଅକ୍ଟୋବର ୧୫ରେ କତର ଅଧିକାରୀମାନେ ଗିରଫ କରିଥିଲେ। ଏ ସମ୍ପର୍କରେ ଏସିସିକୁ ଇଣ୍ଟରପୋଲ ପକ୍ଷରୁ ଅବଗତ କରାଯାଇଛି। ଏପରି ଗିରଫଦାରୀ ପୂର୍ବରୁ ଗତବର୍ଷ ଜୁଲାଇ ମାସରେ ଏସିସି ଆଇନ, ମନି ଲଣ୍ଡରିଂ ଓ ଦୁର୍ନୀତି ନିରୋଧ ଆଇନରେ ଅବଦୁଲଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଏହି ମାମଲାରେ ଅବଦୁଲଙ୍କ ପତ୍ନୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।