କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ବାଉଁପାଣିସ୍ଥିତ ଯୋଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୂଜାର୍ଚ୍ଚନା ପରେ ଦିନ ପ୍ରାୟ ୧୧ଟା ସମୟରେ ସଂଘର ନବନିର୍ବାଚିତ ୫ ଜଣ କର୍ମକର୍ତ୍ତା ଶପଥ ଗ୍ରହଣ କରିବା ସହ ନିଜ ନିଜର ଦାୟିତ୍ୱ ନେଇଛନ୍ତି।
ଏହି ଅବସରରେ ସଂଘର ନୂତନ ସଭାପତି ଭାବେ ରାଜେଶ ରୋସନ, ଚତୁର୍ଥ ଥର ପାଇଁ ସମ୍ପାଦକ ଭାବେ ରବି ନାରାୟଣ ଦାଶ, ଉପସଭାପତି ଭାବେ ଦୀପକ ମହାନ୍ତ, ସହସମ୍ପାଦକ ଭାବେ ମହେଶ କୁମାର ସିଂ ଏବଂ କୋଷାଧ୍ୟକ୍ଷ ଭାବେ ଗୌତମ ବେହେରା ଶପଥ ଗ୍ରହଣ କରିଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ସଂଘର ନୂତନ କର୍ମକର୍ତ୍ତାମାନେ ଟ୍ରକ୍ ମାଲିକଙ୍କ ସ୍ୱାର୍ଥରକ୍ଷା ଏବଂ ପରିବହନ ବ୍ୟବସାୟର ବିକାଶ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ବିଶେଷକରି ସମସ୍ତ ଟ୍ରକ୍ ମାଲିକଙ୍କ ଗାଡ଼ିକୁ କିପରି ନିୟମିତ ଲୋଡିଂ ସୁଯୋଗ ମିଳିପାରିବ ଏବଂ ପରିବହନ କାର୍ଯ୍ୟରେ ବୃଦ୍ଧି ଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ନବନିର୍ବାଚିତ ସଭାପତି ରାଜେଶ ରୋସନ କହିଛନ୍ତି, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରି ଦେଖାଇବୁ। ସେହିପରି ସମ୍ପାଦକ ରବି ନାରାୟଣ ଦାଶ ମଧ୍ୟ ଟ୍ରକ୍ ମାଲିକଙ୍କ ହିତ ପାଇଁ କାମ କରିବା ସହ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯିବ ବୋଲି କହିଛନ୍ତି।
ଏହି ଶପଥ ଗ୍ରହଣ ସମାରୋହରେ ସଂଘର ବହୁ ଟ୍ରକ୍ ମାଲିକ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମର୍ଥନ ଜଣାଇଥିଲେ। ଟ୍ରକ୍ ମାଲିକଙ୍କ ସମସ୍ୟାର ସମାଧାନ ଏବଂ ପରିବହନ ବ୍ୟବସାୟରେ ଉନ୍ନତି ଆଣିବା ନୂତନ କମିଟି ପାଇଁ ମୁଖ୍ୟ ଆହ୍ୱାନ ରହିବ।