ପୁଣି ଡରାଇଲା ଅକ୍ଟୋବର ମାସର ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ଯାହା ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେଇପାରେ । ଏପରିକି ଆସନ୍ତା ୨୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନକୁ ନେଇ ବଢ଼ିଛି ଚିନ୍ତା । ସେପଟେ ଅମଳ ସମୟ ପାଖେଇ ଆସୁଥିବାରୁ ଚାଷୀଙ୍କ ମନରେ ଛନକା ପଶିଛି । ତେବେ ବାତ୍ୟାର ଗତିପଥ କ’ଣ ରହିବ, ଏହା କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ପାଣିପାଗ ଅନୁକୂଳ ରହିଲେ ଏହା ଅଧିକ ଘନୀଭୂତ ହୋଇ ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି ।
ଏନେଇ ସୋଆ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁଙ୍କ ଆକଳନ ଅନୁସାରେ, ସମ୍ଭାବ୍ୟ ପାଣିପାଗ ପ୍ରଣାଳୀର ଗତିପଥ ଏବଂ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟତା ପାଇଁ ଆସନ୍ତା ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଏହା ସହିତ ଆରବ ସାଗରରେ ମଧ୍ୟ ଅନ୍ୟ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉଭୟ ପ୍ରଣାଳୀର ପରସ୍ପର ଉପରେ ପ୍ରଭାବକୁ ନେଇ ମଧ୍ୟ ନଜର ରଖାଯାଉଛି ।
ସେପଟେ ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଅକ୍ଟୋବର ୨୧ରୁ ୨୩ ତାରିଖ ମଧ୍ୟରେ ଏକ ପୂର୍ବାଳୀୟ ପାଣିପାଗ ପ୍ରଣାଳୀ ମାଲାକ୍କା ପ୍ରଣାଳୀ ଅତିକ୍ରମ କରି ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ । ପରବର୍ତ୍ତୀ ସମୟରେ ୨୫ରୁ ୨୭ ତାରିଖ ମଧ୍ୟରେ ଏହା ଅଧିକ ସଂଗଠିତ ହେବାର ସମ୍ଭାବନା ରହିଛି ।
ଏହି ଆକଳନକୁ ନେଇ ଚିନ୍ତାରେ ଚାଷୀକୁଳ । ଚଳିତ ବର୍ଷ ଭଲ ଅମଳ ଆଶାରେ ରହିଥିବା ଚାଷୀଙ୍କ ପାଇଁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି । ଅମଳ ସମୟରେ ପ୍ରବଳ ବର୍ଷା କିମ୍ବା ପବନ ହେଲେ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେଣୁ ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।