ଜ୍ଞାନେଶ କୁମାରଙ୍କ ପାଇଁ ବଢ଼ିଲା ଅଡ଼ୁଆ ; ଶୁଣାଣି କରିବେ ସୁପ୍ରିମକୋର୍ଟ

ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପାଇଁ  ଅଡୁଆ ବଢ଼ିଲା । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ ଏବଂ ନିର୍ବାଚନ କମିଶନଙ୍କ କାର୍ୟ୍ୟଶୈଳୀକୁ ନେଇ ଉଠିଥିବା ପ୍ରଶ୍ନ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ଆବେଦନଗୁଡ଼ିକର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି । ଆସନ୍ତା ଅକ୍ଟୋବର ୨୭ ତାରିଖରେ ଏହି ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ହେବ । ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଛି ଯେ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ନିର୍ବାଚନ କମିଶନଙ୍କ ଆଭ୍ୟନ୍ତରୀଣ ନିୟମ ଓ ପ୍ରକ୍ରିୟା ପାଳନ କରାଯାଇନାହିଁ । ବିଶେଷକରି ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ମତାମତ ଓ ଆପତ୍ତିକୁ ଉପେକ୍ଷା କରି କେତେକ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ କମିଶନଙ୍କ କୌଣସି ନିଷ୍ପତ୍ତି ଆଇନ ଅନୁଯାୟୀ ହୋଇନଥିଲେ ତାହାକୁ ରଦ୍ଦ କରାଯାଇପାରିବ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏସ୍‌ଆଇଆର୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ବିରୋଧରେ ସ୍ୱର ତୀବ୍ର କରିଛନ୍ତି । ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଛି । ଏଭଳି ପରିସ୍ଥିତିରେ ଅକ୍ଟୋବର ୨୭ ତାରିଖର ଶୁଣାଣିକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢ଼ିଛି ।