କ୍ରିକେଟ୍ ପଡ଼ିଆରେ ରନ୍ର ବର୍ଷା। ରଣଜୀ ଟ୍ରଫିରେ ୪୦୦ ରନ୍ର ଐତିହାସିକ ଇନିଂସ୍। ୭୮ ବର୍ଷ ପରେ ପୁଣି ଥରେ ଦେଖିବାକୁ ମିଳିଲା ଏଭଳି ବିରଳ କାରନାମା। ମିଜୋରାମର ବ୍ୟାଟର ଚିନ୍ମୟ ସୁତାର ନାଗାଲାଣ୍ଡ ବିପକ୍ଷରେ ୪୦୦ ରନ୍ କରି ରଚିଛନ୍ତି ନୂଆ ଇତିହାସ।

ରଣଜୀ ଟ୍ରଫି ୨୦୨୫-୨୬ ସିଜିନ୍ର ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ରେ ଚିନ୍ମୟଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଥିଲା ଦମ୍ଦାର ବ୍ୟାଟିଂ। ନାଗାଲାଣ୍ଡ ବିପକ୍ଷରେ ତାଙ୍କର ଏହି ମାରାଥନ୍ ଇନିଂସ୍ରେ ସାମିଲ ଥିଲା ୪୬ଟି ଚୌକା ଓ ୭ଟି ଛକା। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ମିଜୋରାମ ପ୍ରଥମ ଇନିଂସ୍ରେ ୯ ୱିକେଟ୍ ହରାଇ ୫୮୧ ରନ୍ କରି ଇନିଂସ୍ ଘୋଷଣା କରିଛି।

ଏହି ଐତିହାସିକ ସଫଳତା ସହ ଚିନ୍ମୟ ସୁତାର ରଣଜୀ ଟ୍ରଫିରେ ୪୦୦ ରନ୍ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ୧୯୪୮ ମସିହାରେ ବିବି ନିମ୍ବାଲକର ୪୪୩ ରନ୍ର ଅପରାଜିତ ଇନିଂସ୍ ଖେଳି ଏହି ରେକର୍ଡ କରିଥିଲେ। ଦୀର୍ଘ ୭୮ ବର୍ଷ ପରେ ପୁଣି ଥରେ ରଣଜୀ କ୍ରିକେଟ୍ରେ ୪୦୦ ରନ୍ର ମାଇଲଖୁଣ୍ଟ ଛୁଇଁଛନ୍ତି ଜଣେ ବ୍ୟାଟର।
କେବଳ ରଣଜୀ ଟ୍ରଫି ନୁହେଁ, ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ମଧ୍ୟ ୪୦୦ ରନ୍ କରିବାରେ ଚିନ୍ମୟ ହୋଇଛନ୍ତି ବିଶ୍ୱର ଦଶମ ବ୍ୟାଟର। ତାଙ୍କର ଏହି ଅବିଶ୍ୱସନୀୟ ଇନିଂସ୍ କ୍ରିକେଟ୍ ଜଗତରେ ସୃଷ୍ଟି କରିଛି ନୂଆ ଚର୍ଚ୍ଚା।

ତେବେ ଚିନ୍ମୟ ସୁତାରଙ୍କ ଏହି ଐତିହାସିକ ପାଳି ତାଙ୍କୁ କେବଳ ମିଜୋରାମ ନୁହେଁ, ବରଂ ଭାରତୀୟ ଘରୋଇ କ୍ରିକେଟ୍ରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ତାଙ୍କର ଏହି ରେକର୍ଡ ଇନିଂସ୍ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ।