ୟୁଟ୍ୟୁବର ଧ୍ରୁବ ରାଠୀ ଗୃହବନ୍ଦୀ। ତାଙ୍କୁ ପୁଲିସ ଗୃହବନ୍ଦୀ କରି ରଖିଛି। ପ୍ରାୟ ୫୦ ଜଣ ପୁଲିସ୍ କର୍ମଚାରୀ ଧ୍ରୁବଙ୍କ ଗୁରୁଗ୍ରାମ ସ୍ଥିତ ଘର ବାହାରେ ପ୍ରହରା ଦେଉଛନ୍ତି। ପୁଲିସ୍ ତାଙ୍କୁ ନିୟମିତ ପିଛା କରୁଛି ଓ ଯଦି ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭରେ ସାମିଲ ହେବେ, ତା’ହେଲେ ତାଙ୍କୁ ପୁଲିସ୍ ଉଠାଇ ନେବ ବୋଲି ମଧ୍ୟ ଧମକ ଦେଉଛି। ଏକଥା ନିଜେ ଧ୍ରୁବ ରାଠୀ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, “ମୁଁ ବିକ୍ଷୋଭରେ ସାମିଲ ହେବାକୁ ଚାହୁଁଛି। କିନ୍ତୁ ସେମାନେ(ପୁଲିସ୍) ମୋ ଘର ବାହାରେ ୫୦ ଜଣଙ୍କୁ ମୁତୟନ କରିଛନ୍ତି। ମୁଁ ଯୁଆଡ଼େ ବି ଯାଉଛି, ସେମାନେ ମୋର ପିଛା କରୁଛନ୍ତି। ସେମାନେ ମୋତେ ଧମକାଉଛନ୍ତି। ଯଦି ମୁଁ କୌଣସି ବିକ୍ଷୋଭ ସ୍ଥଳ ଆଡ଼କୁ ଯିବି, ତା’ହେଲେ ସେମାନେ ମୋତେ ପୁଣି ଉଠାଇ ନେଇ ଅଟକ ରଖିବେ।”