ପାକିସ୍ତାନ ଗାଲରେ ବାଜିଲା ଶକ୍ତ ଚାପୁଡ଼ା । ଭାରତର ଜମ୍ମୁ-କଶ୍ମୀରକୁ ନିଜର କହୁଥିବା ପାକିସ୍ତାନ ଗାଲରେ ଶକ୍ତ ଚାପୁଡ଼ା ମାରିଛି ଆମେରିକା । ଜମ୍ମୁ-କଶ୍ମୀର ହେଉଛି ଭାରତର । ଏହି ଆଭିମୁଖ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛି ଆମେରିକା। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍। ଶ୍ରୀନଗର ଗସ୍ତ କରିଥିବା ଗୋର୍ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟି ଜମ୍ମୁ-କଶ୍ମୀର ଭାରତର ପ୍ରମୁଖ ଅଂଶ ବୋଲି କହିଛନ୍ତି।

ସେ କହିଛନ୍ତି, ଜମ୍ମୁ-କଶ୍ମୀର ଆସିବା ଅତ୍ୟନ୍ତ ଖୁସିର ବିଷୟ। ଏହା ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ଏଠାକୁ ପ୍ରଥମଥର ପାଇଁ ଆସିଛି। ଏହା ଗୋଟିଏ ଅବିଶ୍ୱସନୀୟ ସୁନ୍ଦର ସ୍ଥାନ।”
ପାକିସ୍ତାନ ବାରମ୍ବାର ଜମ୍ମୁ-କଶ୍ମୀରକୁ ନେଇ ଦୁଃସାହାସ କରୁଥିବା ବେଳେ ଭାରତ ଏହାକୁ ନିଜର ଆଭ୍ୟନ୍ତରଣ ଅଂଶ ବୋଲି କହି ଆସୁଛି। ଏବେ ଗୋର୍ଙ୍କ ବୟାନ ପାକିସ୍ତାନର ଦାବି ଉପରେ ଶକ୍ତ ଚାପୁଡ଼ା ଭାବେ ବିବେଚନା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଭାବେ ଗୋର୍ ବେଶ ପରିଚିତ। ସେ ଜମ୍ମୁ-କଶ୍ମୀର ମାଟିରେ ଛିଡ଼ା ହୋଇ ଆମେରିକା ଏହି ଅଞ୍ଚଳକୁ ଗସ୍ତ କରିବା ପାଇଁ ଜାରି କରିଥିବା କଠୋର ସତର୍କ ଚେତାବାନୀକୁ ହ୍ରାସ କରାଯିବ ବୋଲି ମଧ୍ୟ କହିଛନ୍ତି।

ବର୍ତ୍ତମାନ ଜମ୍ମୁ-କଶ୍ମୀର ପାଇଁ ଆମେରିକା ଲେଭଲ ୪ ସତର୍କ ସୂଚନା ଜାରି କରିଛି। ଏହାର ଅର୍ଥ ନିଜ ଦେଶର ଲୋକଙ୍କୁ ଆମେରିକା ଜମ୍ମୁ-କଶ୍ମୀର ଗସ୍ତ ନ କରିବାକୁ ପରାମର୍ଶ ଦେଇଛି।
ଗୋର୍ କହିଛନ୍ତି, “ଆମେରିକା ପକ୍ଷରୁ ଜାରି ହୋଇଥିବା ଯାତ୍ରା ସତର୍କତାକୁ କମାଇବା ଉଚିତ କି ନୁହେଁ, ସେନେଇ ବିଚାର କରାଯିବ। ଏହି ଅଞ୍ଚଳକୁ ଅଧିକ ସୁରକ୍ଷିତ କରିବା ଦିଗରେ ଏଠାକାର ପ୍ରଶାସନ ଅଦ୍ଭୁତପୂର୍ବ ପଦକ୍ଷେପ ନେଇଛି।”

ଗୋର ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ “ଓମାର ଅବଦୁଲ୍ଲାଙ୍କ ସହ ଆର୍ଥିକ ସହଯୋଗକୁ ଆହୁରି ଦୃଢ଼ କରିବା ଓ ଉଭୟ ଦେଶର ଲୋକଙ୍କ ପାଇଁ ପାରସ୍ପରିକ ଲାଭଦାୟକ ସୁଯୋଗ ସୃଷ୍ଟି କରିବାର ଉପାୟ ନେଇ ଆଲୋଚନା କରିଛି।” ଗୋର୍ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି।