ସେୟାର ମାର୍କେଟ୍ରେ ନିବେଶ କରି ବିପୁଳ ଲାଭର ପ୍ରଲୋଭନ। ଆଉ ଏହି ଲୋଭରେ ଜଣେ ବ୍ୟକ୍ତି ହରାଇଲେ ୮୧ ଲକ୍ଷରୁ ଅଧିକ ଟଙ୍କା। ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାମଲା ପରେ ପଶ୍ଚିମବଙ୍ଗରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିଛି ସାଇବର ପୋଲିସ।
ଅଭିଯୋଗକାରୀ ନିରଞ୍ଜନ ବୋଇତାଇଙ୍କ ଏତଲା ଆଧାରରେ ଭୁବନେଶ୍ୱର ସାଇବର ଥାନାରେ ରୁଜୁ ହୋଇଥିଲା ମାମଲା। ଅଭିଯୋଗ ଅନୁସାରେ, ଠକମାନେ ପ୍ରଥମେ ନିରଞ୍ଜନଙ୍କୁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯୋଡ଼ି ନିଜକୁ ସେୟାର ମାର୍କେଟ୍ ବିଶେଷଜ୍ଞ ବୋଲି ପରିଚୟ ଦେଇଥିଲେ।
ପରେ ‘ମାଭେରିକ୍ କ୍ୟାପ୍’ ନାମକ ଆପ୍ ଡାଉନଲୋଡ୍ କରାଇ ବିପୁଳ ଲାଭର ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ନିରଞ୍ଜନଙ୍କଠାରୁ ମୋଟ ୮୧ ଲକ୍ଷ ୩୦ ହଜାର ୮୨ ଟଙ୍କା ଜମା କରାଯାଇଥିଲା। ଟଙ୍କା ଉଠାଇବାକୁ ଚେଷ୍ଟା କରିବା ବେଳେ ଆପ୍ ବ୍ଲକ୍ ହୋଇଯିବାରୁ ଠକେଇ ଜଣାପଡ଼ିଥିଲା।
ତଦନ୍ତ ବେଳେ ଟଙ୍କାରୁ ୧୮ ଲକ୍ଷ ଟଙ୍କା ପଶ୍ଚିମବଙ୍ଗର ପୁରୁଲିଆର ବିମଳ କାଳିନ୍ଦୀଙ୍କ ‘ୱାର୍ଲ୍ଡ ନେଟ୍ କମ୍ପ୍ୟୁଟେକ୍’ର ବ୍ୟାଙ୍କ ଖାତାକୁ ଯାଇଥିବା ଜଣାପଡ଼ିଥିଲା। ପୋଲିସ ଅନୁସାରେ, ବିମଳ ତାଙ୍କ ସହଯୋଗୀ ପାର୍ଥ ହାଲଦାର ଓ ମାଷ୍ଟରମାଇଣ୍ଡ ସଞ୍ଜୟ ରାଣାଙ୍କ ସହ ମିଶି ଏହି ନେଟୱାର୍କ ଚଳାଉଥିଲେ। ପୂର୍ବରୁ ଏହି ମାମଲାରେ ଆକାଶ କୌଶିକଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।
ଏବେ ସାଇବର ପୋଲିସର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗର ବାନ୍ଦୋଆନ୍ ଥାନା ଅଞ୍ଚଳରେ ଚଢ଼ାଉ କରି ବିମଳ କାଳିନ୍ଦୀ ଓ ପାର୍ଥ ହାଲଦାରଙ୍କୁ ଗିରଫ କରିଛି। ପୁରୁଲିଆ କୋର୍ଟରୁ ୪୮ ଘଣ୍ଟିଆ ଟ୍ରାଞ୍ଜିଟ୍ ରିମାଣ୍ଡ ଆଣି ଉଭୟଙ୍କୁ ୧୪ ସେପ୍ଟେମ୍ବରରେ ଭୁବନେଶ୍ୱର ଅଣାଯାଇ କୋର୍ଟ ଚାଲାଣ କରାଯାଇଛି।