କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି
ଭୁବନେଶ୍ୱର:- କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି ।

ସେପଟେ ସୁରକ୍ଷା ଭିତରେ ସିଲଭର ସିଟି । ଚାପା ଉତ୍ତେଜନା ସତ୍ୱେ ନିୟନ୍ତ୍ରଣରେ ସ୍ଥିତି। ଦ୍ୱିତୀୟ ଦିନରେ କଟକରେ କର୍ଫ୍ୟୁ । ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା । ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ କର୍ଫ୍ୟୁ ପାଇଁ ଏହାର ପ୍ରଭାବ ବିଶେଷ ପରିଲଖିତ ହୋଇନାହିଁ । ଜରୁରୀ ସେବା, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ସ୍ୱାଭାବିକ ରହିଛି କିନ୍ତୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ଏବଂ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । କଟକରେ ସ୍ଥିତି ସ୍ୱାଭାବିକ କରାଇବାକୁ ପୋଲିସ ପଇଁତରା ମାରୁଛି । ଫ୍ଲାଗ ମାର୍ଚ୍ଚ ସହ ବଜ୍ରଯାନରେ ବୁଲି ସ୍ଥିତି ନିରୀକ୍ଷଣ କରୁଛି ସୁରକ୍ଷାବଳ।
